ରାୟଗଡ଼ା ଜିଲ୍ଲା ଦୁନ୍ଦୁଭି ପଞ୍ଚାୟତ ରେ ବନବାସୀ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ସେବା କାର୍ଯ୍ୟ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧୀନ ଦୁନ୍ଦୁଲି ପଞ୍ଚାୟତର ବନବାସୀ ଗ୍ରାମ ଜାରପାରେ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଏକ ସେବା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବାନିବୃତ୍ତ ଶିକ୍ଷକ ଜୟଦେବ ସିଠଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ତଥା ସମାଜସେବୀ ସଦାଶିବ ରାଜଗୁରୁ, ରାୟଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି, କବି ଓ ସମାଜସେବୀ ଡଃ ବାଦଲ କୁମାର ତା, କବି, ଗାଳ୍ପିକ ତଥା ସମାଜସେବୀ ଡଃ ରତି ରଞ୍ଜନ ଦାଶ ଏବଂ କବି, ସମାଜସେବୀ ଓ ଆଧ୍ୟାତ୍ମବାଦୀ ଲଳିତ ମୋହନ ଜେନା ଯୋଗଦେଇଥିଲେ ।
ବିଦ୍ୟାଳୟ କମିଟି ସଭାପତି ଓ ପ୍ରଧାନ ଶିକ୍ଷକ ଜାଡା ପ୍ରସାଦଙ୍କ ଅନୁମତିକ୍ରମେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦୀପ ପ୍ରଜ୍ୱଳନ ଓ ଭାରତମାତା ପୂଜନ କରାଯାଇଥିଲା । ସହକାରୀ ଶିକ୍ଷକ ପ୍ରତାପ କେଶରୀ ରାଉତରାୟ ଉପସ୍ଥିତ ବରିଷ୍ଠ ନାଗରିକ ଓ ଗଣମାନ୍ୟ ବ୍ୟକ୍ତିମାନଙ୍କୁ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବାକୁ ଅନୁରୋଧ କରିଥିଲେ ।

ଜୟଦେବ ସିଠ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଦାଶିବ ରାଜଗୁରୁ ଛାତ୍ରଛାତ୍ରୀମାନେ ନିୟମିତ ବିଦ୍ୟାଳୟ ଆସି ମନଦେଇ ପାଠ ପଢ଼ି ଭଲ ମଣିଷ ହେବା ସହିତ ପିତାମାତାମାନେ ପିଲାଙ୍କ ଶିକ୍ଷା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକମାନେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଜନପ୍ରିୟ ହେବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ ।ଡଃ ରତି ରଞ୍ଜନ ଦାଶ ଗ୍ରାମବାସୀଙ୍କ ମଧ୍ୟରେ ସଦ୍ଭାବନା, ସୁସମ୍ପର୍କ, ପାରସ୍ପରିକ ସହଯୋଗ ଓ ପରୋପକାରର ମନୋଭାବ ବୃଦ୍ଧି ସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଘରବାଡ଼ି ଓ ବଗିଚାରେ ବେଲ, ଅଁଳା, ତୁଳସୀ, ନିମ ଆଦି ଔଷଧୀୟ ବୃକ୍ଷ ରୋପଣ ଏବଂ ପରିଷ୍କାର ପରିଚ୍ଛନ୍ନତା ରକ୍ଷା ପାଇଁ ସେ ଆହ୍ୱାନ ଦେଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କୁ ଅଭିବାଦନର ଶିଷ୍ଟାଚାର ଓ ତାହାର ଉପକାରିତା ବୁଝାଇଥିଲେ । ଡଃ ବାଦଲ କୁମାର ତା କାହାଣୀ ଓ ଘାସକଟାର ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ମହତ୍ତ୍ୱ ବୁଝାଇଥିଲେ। କେବଳ କଥା ନକହି କାର୍ଯ୍ୟ ମାଧ୍ୟମରେ ଦେଖାଇବାକୁ ସେ ଆହ୍ୱାନ ଦେବା ସହ ନିଜ ମାତୃଭାଷା କୁଇ କୁ ଭିତ୍ତିଭୂମି ଭାବେ ନେଇ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାକୁ ମଧ୍ୟ ଗୁରୁତ୍ୱ ଦେଇ କଥାବାର୍ତ୍ତା କରିବାକୁ କହିଥିଲେ। ଲଳିତ ମୋହନ ଜେନା ସଂସ୍କୃତି ଓ ନୈତିକ ମୂଲ୍ୟବୋଧ ସମ୍ପନ୍ନ ଜୀବନଯାପନ ପାଇଁ ଆହ୍ୱାନ ଦେଇଥିଲେ। ବାଲ୍ୟବିବାହ ରୋକିବା, ନିଶା ନିବାରଣ, ଅନ୍ଧବିଶ୍ୱାସରୁ ଦୂରେଇ ରହିବା, ଗୋସୁରକ୍ଷା, କୃଷିକ୍ଷେତ୍ରରେ ଜୈବିକ ସାର ବ୍ୟବହାର, ଧର୍ମ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଦେଶସେବାରେ ନିଜକୁ ନିୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଜୟଦେବ ସିଠ ଉପସ୍ଥିତ ଗ୍ରାମବାସୀ, ଯୁବପିଢ଼ି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ମାର୍ଗଦର୍ଶନକୁ ଜୀବନରେ ପ୍ରୟୋଗ କରିବା ସହ ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପ କରାଇଥିଲେ । କମିଟି ସଭାପତି ଆପାରାଓ ହିମିରିକା କୁଇ ଭାଷାରେ ଗ୍ରାମବାସୀଙ୍କୁ ବରିଷ୍ଠ ନାଗରିକଙ୍କ ମାର୍ଗଦର୍ଶନର ସାରକଥା ବୁଝାଇଥିଲେ ।
ଏହି ଅବସରରେ ଗ୍ରାମର ଅସହାୟ ବୃଦ୍ଧ ଆଦିବାସୀ ଦମ୍ପତିଙ୍କୁ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା । ଯୁବପିଢ଼ିଙ୍କୁ ଶ୍ରୀମଦ୍‌ ଭଗବଦ୍‌ ଗୀତା ଓ ହନୁମାନ ଚାଳିଶା ବଣ୍ଟନ କରାଯାଇ ନିୟମିତ ପଠନ ପାଇଁ ପରାମର୍ଶ ଦିଆଯାଇଥିଲା । ଭାରତମାତାଙ୍କ ଫଟୋ ଏବଂ ‘ହରେକୃଷ୍ଣ, ହରେରାମ’ ଭଜନ ଲିଖିତ ପତ୍ରିକା ବଣ୍ଟନ କରାଯାଇଥିଲା। ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ବିସ୍କୁଟ ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଗ୍ରାମବାସୀ ଉତ୍ସାହିତ ହୋଇ ଭବିଷ୍ୟତରେ ମଧ୍ୟ ଏଭଳି ସେବା କାର୍ଯ୍ୟ ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧାନ ଶିକ୍ଷକଙ୍କ ଅନୁରୋଧକ୍ରମେ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

ad-week
Leave A Reply

Your email address will not be published.