୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ

ବାଲିଗୁଡ଼ା : ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଏଯାଏ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ ପରେ ନିର୍ବାଚନ ପାଇଁ ବାଟ ଫିଟିଛି। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଛି। ଦୀର୍ଘଦିନ ଧରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ନିର୍ବାଚନ ନ ହେବାରୁ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ଛାତ୍ର ନେତୃତ୍ୱ ବିକାଶର ସୁଯୋଗ ସୀମିତ ରହିଥିଲା। ଏବେ ପ୍ରଥମଥର ପାଇଁ ନିର୍ବାଚନ ହେବାକୁ ଯାଉଥିବାରୁ କଲେଜରେ ଛାତ୍ର ପ୍ରତିନିଧିତ୍ୱର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା ବଢ଼ିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ଓ ଘୁ.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଆସୁଥିବା ବେଳେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଥିଲା। ତେଣୁ ୪୬ ବର୍ଷ ପରେ ହେବାକୁ ଥିବା ଏହି ପ୍ରଥମ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖା ଦେଇଛି। ମହାବିଦ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର +୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଯୋଗ୍ୟ ଛାତ୍ରଛାତ୍ରୀମାନେ ଛାତ୍ର ସଂଘର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢ଼ିପାରିବେ। ଅକ୍ଟୋବର ୮ ତାରିଖରୁ କାର୍ଯ୍ୟ ସମୟ ମଧ୍ୟରେ ନାମାଙ୍କନ ପତ୍ର ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ପୁରୁଣା SAMS ରୁମ୍‌ରୁ ବ୍ୟକ୍ତିଗତ ଭାବେ ନାମାଙ୍କନ ଫର୍ମ ସଂଗ୍ରହ କରିପାରିବେ।
ନିର୍ବାଚନ ସମ୍ପର୍କିତ ଯେକୌଣସି ସୂଚନା କିମ୍ବା ପ୍ରଶ୍ନ ପାଇଁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କଲେଜ ପକ୍ଷରୁ କୁହାଯାଇଛି। ଇଂରାଜୀ ଅଧ୍ୟାପକ ତେଜେଶ୍ୱର ନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ବାଣିଜ୍ୟ ଅଧ୍ୟାପକ ସରୋଜ କୁମାର ପାଥି ଓ ପ୍ରାଣୀବିଜ୍ଞାନ ଅଧ୍ୟାପକ ହିମାଂଶୁ ଶେଖର ସାହୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ମହାବିଦ୍ୟାଳୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ତାରିଖ ଘୋଷଣା ପରେ ମହାବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ଓ ପୁଲିସ ପ୍ରଶାସନର ସହଯୋଗ ଲୋଡ଼ାଯାଇଛି। ୪୬ ବର୍ଷର ଅପେକ୍ଷା ପରେ ହେବାକୁ ଥିବା ଏହି ପ୍ରଥମ ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧିତ୍ୱ ଓ ଗଣତାନ୍ତ୍ରିକ ନେତୃତ୍ୱର ଏକ ନୂଆ ଆରମ୍ଭ ବୋଲି ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.