
ନୂଆଦିଲ୍ଲୀ ୧୪।୦୨: ଏୟାର ଇଣ୍ଡିଆ ଟାଟା ସନ୍ସର ହେବା ପରେ ଏହି ଏୟାର ଲାଇନର ନବକଳେବର ହେବାକୁ ଯାଉଛି। ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଇଲକର ଆୟସିଙ୍କୁ ଟାଟା ସନ୍ସ ଏୟାର ଇଣ୍ଡିଆର ନୂତନ ଏମଡି ଏବଂ ସିଇଓ ଭାବେ ନିଯୁକ୍ତ କରିଛି। କମ୍ପାନୀ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୧ରୁ ଆୟସି ନିଜର ଦାୟିତ୍ଵ ସମ୍ଭାଳିବେ। ବୋର୍ଡର ଆଜିର ବୈଠକରେ ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ମଧ୍ୟ ଯୋଗ ଦେଇଥିଲେ। ବୋର୍ଡ ଉଚିତ୍ ବିଚାର ବିମର୍ଶ ପରେ ତାଙ୍କ ନାମକୁ ମଞ୍ଜୁରୀ ଦେଇଛି।
ଆୟସିଙ୍କ ପଦଭାରକୁ ନେଇ ଏବେ ମଧ୍ୟ ରେଗୁଲେଟରୀରୁ ମଞ୍ଜୁରୀ ମିଳିବା ବାକି ରହିଛି। ଟାଟା ଗ୍ରୁପ ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ୧୮,୩୦୦ କୋଟି ଟଙ୍କାରେ କିଣିଛି। ଜାନୁଆରୀ ୨୭ରେ ମାଲିକାନା ସଂପର୍କିତ ସଂପୂର୍ଣ୍ଣ ପ୍ରକ୍ରିୟା ପୂରା ହୋଇଥିଲା ଏବଂ ସେହି ଦିନ ଟାଟା ସନ୍ସ ଏୟାର ଇଣ୍ଡିଆର ମାଲିକାନା ସତ୍ତ୍ଵ ହାସଲ କରିଥିଲା।
ଆୟସି ୧୯୭୧ରେ ଇସ୍ତାନବୁଲରେ ଜନ୍ମଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ଆୟସି ତୁର୍କୀର ବୁଲକେଣ୍ଟ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନ ବା ସାଧାରଣ ପ୍ରଶାସନ ବିଭାଗର ୧୯୯୪ ବ୍ୟାଚ୍ର ପୂର୍ବତନ ଛାତ୍ର। ୧୯୯୫ରେ ସେ ଇଂଲଣ୍ଡର ଲିଡ୍ସ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନରେ ଏକ ଗବେଷଣା କରିଥିଲେ। ୧୯୯୭ରେ ସେ ଇସ୍ତାନବୁଲର ମରମାରା ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ରିଲେସନ ମାଷ୍ଟର ପ୍ରୋଗ୍ରାମ ପୂରା କରିଥିଲେ।
ଆୟସି କହିଛନ୍ତି, ମୁଁ ଅଗ୍ରଣୀ ଏୟାରଲାଇନ୍ସର ନେତୃତ୍ଵ ନେବା ଏବଂ ଟାଟା ଗ୍ରୁପ ସହ ଜଡିତ ନେଇ ଅତ୍ୟନ୍ତ ଖୁସି। ଆମେ ଏୟାର ଇଣ୍ଡିଆର ବଳିଷ୍ଠ ଇତିହାସର ଉପଯୋଗ କରିବୁ ଏବଂ ଦୁନିଆରେ ଏହାକୁ ସର୍ବୋତ୍କୃଷ୍ଟ ଏୟାରଲାଇନ୍ସ ଭାବେ କରିବାକୁ ଉଦ୍ୟମ କରିବୁ। ଦ ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, ଆୟସି ତୁର୍କୀ ଫୁଟବଲ ଫେଡେରେସନ, ତୁର୍କୀ ଏୟାରଲାଇନ୍ସ ସ୍ପୋର୍ଟ୍ସ କ୍ଲବ ଏବଂ ଟିଏଫଏଫ ସ୍ପୋର୍ଟିଫ ଆନୋନିମ ସିରକେଟିର ବୋର୍ଡ ସଦସ୍ୟ ଅଛନ୍ତି।
ଟାଟା ସନ୍ସ ପାଖରେ ବର୍ତ୍ତମାନ ତିନୋଟି ଏୟାରଲାଇନ୍ସ ରହିଛି। ଏଥିରେ ଏୟାର ଏସିଆ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ସାମିଲ୍। ଟାଟା ଗ୍ରୁପ ଏୟାର ଇଣ୍ଡିଆର ବର୍ତ୍ତମାନର କର୍ମଚାରୀଙ୍କୁ ମଧ୍ୟ ରଖିବ, ଯାହାର ସଂଖ୍ୟା ପ୍ରାୟ ୮୫୦୦ ରହିଛି। ଚନ୍ଦ୍ରଶେଖରନ କହିଛନ୍ତି, ଆୟସି ବେସାମରିକ ବିମାନ ଚଳାଚଳ ଶିଳ୍ପର ଜଣେ ଲିଡର। ସେ ତୁର୍କୀ ଏୟାରଲାଇନ୍ସର ମଧ୍ୟ ନେତୃତ୍ଵ ନେଇଛନ୍ତି। ଟାଟା ଗ୍ରୁପରେ ତାଙ୍କର ଆଗମନ ନେଇ ଆମେ ଖୁସି ଅଛୁ ବୋଲି ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ କହିଛନ୍ତି।