ରାଜ୍ୟର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ‘ଓଡ଼ିଶା ଫାୟାର ଆଣ୍ଡ ସେଫ୍ଟି ଆସୋସିଏସନ୍’ (OFSA) ର ମିଳିତ ସହଯୋଗରେ ବରମୁଣ୍ଡା ସ୍ଥିତ ଓଡ଼ିଶା ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA) ପରିସରରେ ରାଜ୍ୟର ପ୍ରଥମ ‘ଫାୟାର ସେଫ୍ଟି ଏକ୍ସପୋ ୨୦୨୬’ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ସହିତ ଗତ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜାରି ରହିଥିବା ମାସବ୍ୟାପୀ “ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା” ଅଭିଯାନ ଅଧୀନରେ ଏକ ସ୍ୱତନ୍ତ୍ର ବୈଷୟିକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଗତ ୨୪ ଦିନ ମଧ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟସାରା ୩,୫୦୦ ରୁ ଉର୍ଦ୍ଧ୍ୱ ବହୁତଳ ଆବାସିକ ଗୃହ, ସପିଂ ମଲ୍, ବ୍ୟବସାୟିକ କମ୍ପ୍ଲେକ୍ସ, ହସ୍ପିଟାଲ୍ ଏବଂ ଶିଳ୍ପ ଅନୁଷ୍ଠାନ ଗୁଡ଼ିକର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି ।

ଏହି କର୍ମଶାଳାର ଉଦ୍ଘାଟନୀ ସମାରୋହରେ ଅଗ୍ନିଶମ ସେବା, ଗୃହରକ୍ଷୀ ମହାନିର୍ଦ୍ଦେଶକ (DG) ତଥା ବେସାମରିକ ପ୍ରତିରକ୍ଷା ନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିସହ ଅଗ୍ନିଶମ ସେବା ଆଇଜି (IG) ଡଃ ଉମାଶଙ୍କର ଦାଶ, ମୁଖ୍ୟ ଅଗ୍ନିଶମ ଅଧିକାରୀ (FPW) ଦେବେନ୍ଦ୍ର କୁମାର ସ୍ୱାଇଁ, ମୁଖ୍ୟ ଅଗ୍ନିଶମ ଅଧିକାରୀ (ଓଡ଼ିଶା) ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ଅଗ୍ନିଶମ ଅଧିକାରୀ (ତାଲିମ୍) ପ୍ରଶାନ୍ତ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହାଛଡ଼ା ଏହି କର୍ମଶାଳାରେ ବିଲ୍ଡର ଆସୋସିଏସନ, ଆର୍କିଟେକ୍ଟ ଆସୋସିଏସନ, ମେଡିକାଲ ଆସୋସିଏସନ, ଶିଳ୍ପ ପ୍ରତିନିଧି ଏବଂ ODRAFର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ଆୟୋଜିତ ପ୍ରଦର୍ଶନୀରେ ମୋଟ ୨୨ ଟି ଷ୍ଟଲ୍ ମାଧ୍ୟମରେ ୬୬ ରୁ ଉର୍ଦ୍ଧ୍ୱ ସଂସ୍ଥା ଅଂଶଗ୍ରହଣ କରି ଆଧୁନିକ ଅଗ୍ନି ନିର୍ବାପକ ପମ୍ପ, ଆଲାର୍ମ, ସେନ୍ସର, IoT (ଇଣ୍ଟରନେଟ୍ ଅଫ୍ ଥିଙ୍ଗସ) ଏବଂ AI (କୃତ୍ରିମ ବୁଦ୍ଧିମତ୍ତା) ଆଧାରିତ ନୂତନ ଜ୍ଞାନକୌଶଳର ଯନ୍ତ୍ରପାତି ପ୍ରଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଆଇଜି ଡଃ ଉମାଶଙ୍କର ଦାଶ କହିଥିଲେ ଯେ ଅଗ୍ନି ସୁରକ୍ଷା କେବଳ ଅଗ୍ନିଶମ ବିଭାଗର କର୍ତ୍ତବ୍ୟ ନୁହେଁ, ବରଂ ଏହା ଶିଳ୍ପ ସଂସ୍ଥା, ହସ୍ପିଟାଲ୍, ବିଲ୍ଡର୍, ଆର୍କିଟେକ୍ଟ, ODRAF ଏବଂ ସମାଜର ପ୍ରତ୍ୟେକ ବର୍ଗର ମିଳିତ ଦାୟିତ୍ୱ।

ସେହିପରି ଡିଜି ଡଃ ସୁଧାଂଶୁ ଷଡ଼ଙ୍ଗୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଏକ୍ସପୋର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟରେ ଅଗ୍ନି ସୁରକ୍ଷା ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି । ସାମ୍ପ୍ରତିକ ଘଟଣାବଳୀକୁ ଦୃଷ୍ଟିରେ ରଖି ଶିଳ୍ପକ୍ଷେତ୍ରରେ ଅଗ୍ନି ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି, ଯାହା ପାଇଁ ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନ ମାଧ୍ୟମରେ ଏକ ସୁରକ୍ଷିତ ରାଜ୍ୟ ଗଢ଼ିତୋଳିବା ଆମର ମୂଳ ଲକ୍ଷ୍ୟ।

ଏହି ଆଲୋଚନାଚକ୍ରରେ ଅଗ୍ନି ଜନିତ ଦୁର୍ଘଟଣା ରୋକିବା ପାଇଁ ବର୍ଷସାରା ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ନିୟମିତ ସେନ୍ସର ଓ ସାଇରେନ୍ ପରୀକ୍ଷଣ, ଫାୟାର ଆଲାର୍ମ ଟେଷ୍ଟିଂ, ଏବଂ ଜରୁରୀକାଳୀନ ସ୍ଥାନାନ୍ତରଣ (Evacuation) ଅଭ୍ୟାସ କରିବାକୁ ଗୁରୁତ୍ୱ ଦେବାକୁ ଡଃ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ତାଲିକାଭୁକ୍ତ ଯୋଗାଣକାରି ସଂସ୍ଥା ଏବଂ ଦକ୍ଷ ମାନବସମ୍ବଳ ମାଧ୍ୟମରେ ଥାର୍ଡ-ପାର୍ଟି ଅଗ୍ନି ସୁରକ୍ଷା ଅଡିଟ୍ କରିବା ଏବଂ ଶପିଂ ମଲ୍, ହସ୍ପିଟାଲ୍ ଓ ବୃହତ୍ ପ୍ରତିଷ୍ଠାନ ଗୁଡ଼ିକରେ AI ଆଧାରିତ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କର ସହଯୋଗ ଓ ସଚେତନତା ଦ୍ୱାରା ହିଁ ଓଡ଼ିଶାକୁ ଏକ ସୁରକ୍ଷିତ ରାଜ୍ୟ ଭାବେ ଗଢ଼ିତୋଳିବା ସମ୍ଭବ ହେବ ବୋଲି ଡଃ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.