R&B ଡିଭିଜନ୍ -୧ରେ ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍ ମାମଲା; ଆଉ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ଟ୍ରେଜେରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

ଗିରଫ ସଂଖ୍ୟା ୯କୁ ବୃଦ୍ଧି । ଭୁବନେଶ୍ୱର R&B ଡିଭିଜନ୍ -୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସର ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ଆଜି ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।

ଏମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଜଣେ ସିନିୟର ଆକାଉଣ୍ଟାଣ୍ଟ ମଧ୍ୟ ଅଛନ୍ତି । ଏହାକୁ ମିଶାଇ ଏହି ମାମଲାରେ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି । ଗିରଫ ହୋଇଥିବା ୩ ଜଣ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍ ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର R&B ଡିଭିଜନ୍ -୧ର ପିଅନ କୁମୁଦ ସାହୁ । ତିନି ଜଣଙ୍କୁ ଗିରଫ ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଇଛି । ଭିଜିଲାନ୍ସର ସୂଚନା ଅନୁଯାୟୀ, ଭୁବନେଶ୍ୱର R&B ଡିଭିଜନ୍ -୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ରହିଛି ।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ୧୧ ଥରରେ ଫୋନ୍ ପେ ମାଧ୍ୟମରେ ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରାଙ୍କୁ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିଲେ । ଜାଲ୍ ବିଲ୍ ଗୁଡ଼ିକୁ ବିନା ଆପତ୍ତିରେ ପାସ୍ କରାଇବା ପାଇଁ ଏହି ଟଙ୍କା ଦିଆଯାଇଥିବା ଭିଜିଲାନ୍ସ ଅଭିଯୋଗ କରିଛି । ଅନ୍ୟତମ ଗିରଫ ଅଭିଯୁକ୍ତ ବିଶ୍ୱନାଥ ଦାସ ପୂର୍ବରୁ ଭୁବନେଶ୍ୱର R&B ଡିଭିଜନ୍ -୧ରେ ଜୁନିୟର ଆସିଷ୍ଟାଣ୍ଟ ଥିଲେ । ଭିଜିଲାନ୍ସ ଅନୁଯାୟୀ, ସେ ନିଜର, ନିଜ ମାଆ ନୟନା ଦାସ ଏବଂ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଅଭିଯୁକ୍ତ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କୁ ଦେଇଥିଲେ ।

ଏହି ଆକାଉଣ୍ଟଗୁଡ଼ିକୁ ପ୍ରୋଭିଜନାଲ୍ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ନାମରେ ଟଙ୍କା ପଠାଯାଇଥିଲା । ଭିଜିଲାନ୍ସ ତଦନ୍ତରେ ଏପର୍ଯ୍ୟନ୍ତ ନୟନା ଦାସଙ୍କ ଆକାଉଣ୍ଟକୁ ପ୍ରାୟ ୫୦ ଲକ୍ଷ, କାହ୍ନୁଚରଣ ବେହେରାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଏବଂ ବିଶ୍ୱନାଥ ଦାସଙ୍କ ନିଜ ଆକାଉଣ୍ଟକୁ ୩୭ ଲକ୍ଷ ଟଙ୍କା ଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ବିଶ୍ୱନାଥ ଏହି ଟଙ୍କାର କିଛି ଅଂଶ ଫୋନ୍ ପେ ମାଧ୍ୟମରେ ବିଭୁଦତ୍ତ ଓ ବନଲତାଙ୍କ ଆକାଉଣ୍ଟକୁ ପଠାଇଥିବା ବେଳେ ବାକି ଟଙ୍କା ନଗଦ ଉଠାଇଥିଲେ । ସେହିପରି ଗିରଫ ପିଅନ କୁମୁଦ ସାହୁ ନିଜ ପତ୍ନୀ ବିଜୁଳି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଦେଇଥିବା ଭିଜିଲାନ୍ସ କହିଛି । ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ପ୍ରୋଭିଜନାଲ୍ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା ହୋଇଥିଲା ।

ପରେ କୁମୁଦ ଏହି ଟଙ୍କା ନିଜ ଆକାଉଣ୍ଟକୁ ପଠାଇ ୩ଟି କିସ୍ତିରେ ନଗଦ ଉଠାଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୨୭ ତାରିଖରେ ଭିଜିଲାନ୍ସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ R&B ଡିଭିଜନ୍ -୧ର ସେକ୍ସନ ଅଫିସର ବନଲତା ମହାନ୍ତି ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ଥିଲେ । ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଯାଇଥିଲା । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ତଦନ୍ତ ଚାଲିଛି । ସରକାରୀ ଅର୍ଥ କିପରି ଜାଲ୍ ବିଲ୍ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.