ଦେବଗଡ଼ କଲେଜରେ ପ୍ରାର୍ଥୀପତ୍ର ନାକଚ ନେଇ ଛାତ୍ର ଅଶାନ୍ତି, ଟାୟର ଜାଳି ରାସ୍ତା ଅବରୋଧ

ଦେବଗଡ଼: ଦୀର୍ଘ ଆଠ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜଧାନୀ ଭୁବନେଶ୍ଵରଠୁ ନେଇ ଗ୍ରାମାଞ୍ଚଳ କଲେଜ ପର୍ଯ୍ୟନ୍ତ ସବୁଠି ମାହୋଲ ସରଗରମ। ଅନେକ କଲେଜରେ ନିର୍ବାଚନକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଏହି କ୍ରମରେ ଦେବଗଡ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ରଛାତ୍ରମାନେ କଲେଜ ସମ୍ମୁଖରେ ଟାୟର ଜାଳି ରାସ୍ତା ଅବରୋଧ କରିବା ସହ ସହରରେ ରାଲି ବି କରିଛନ୍ତି।

ସୂଚନା ମୁତାବକ, ଚଳିତବର୍ଷ ଦେବଗଡ ମହାବିଦ୍ୟାଳୟରେ ଛାତ୍ର ସଂସଦ  ନିର୍ବାଚନ ପାଇଁ ମୋଟ ୨୦ ଟି ପଦବୀ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥି ମଧ୍ୟରୁ ସାତୋଟି ପଦବୀ ପାଇଁ ୧୧ ଜଣ ଛାତ୍ରଛାତ୍ରୀ ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଯାଞ୍ଚ ବେଳେ ବିଭିନ୍ନ କାରଣ ପାଇଁ ଛଅ ଜଣଙ୍କ ନାମାଙ୍କନପତ୍ର ନାକଚ କରାଯାଇଥିବା ବେଳେ ପାଞ୍ଚଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।

ହେଲେ ମନୋନୟନ ପତ୍ର ନାକଚକୁ ନେଇ ଛାତ୍ର ମାନେ ଅଧ୍ୟକ୍ଷଙ୍କୁ ଘେରିଥିବା ବେଳେ  ପୋଲିସ ଘଟଣାରେ ହସ୍ତକ୍ଷେପ କରିଛି। ରାଜ୍ୟର ପ୍ରମୁଖ ଦଳର ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ଜଣାପଡିଛି। ଏହାକୁ ନେଇ ବିଭିନ୍ନ ସଂଗଠନର ଛାତ୍ର ଛାତ୍ରୀ କଲେଜ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଫଳରେ କଲେଜରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି। ସ୍ଥିତିକୁ ଦୃଷ୍ଟିରେ ରଖି କଲେଜରେ ପୋଲିସ ବଳ ମୁତୟନ କରାଯାଇଛି।

ad-week
Leave A Reply

Your email address will not be published.