ବାଲିଗୁଡ଼ା : ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ବିଭିନ୍ନ ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତା ୧୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାରୁ ଏବେ କ୍ୟାମ୍ପସରେ ନିର୍ବାଚନୀ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଛନ୍ତି। ସଭାପତି ପଦ ପାଇଁ ଜ୍ଞାନଦେବ ଉଠାଣସିଂ, ଶିବଶଙ୍କର ପ୍ରଧାନ, ଭେନୁସ କୁମାର ପ୍ରଧାନ, ସଂକେତ ନାୟକ, ଅଲିଭା ଦିଗଲ, ଶ୍ରୀଧର ସିଅ ଓ ଏଲୋନ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଅଭୟ ପାଟମାଝି, ଦୀପକ କୁମାର ପାତ୍ର, ଆୟୁଷ କୁମାର ଦାସ ଓ ଏଲିୟ ନାୟକ ପ୍ରାର୍ଥୀ ହୋଇଛନ୍ତି।
ସହସମ୍ପାଦକ ପଦ ପାଇଁ ଅଂଶୁମାନ ବେହେରା, ସମରେନ୍ଦ୍ର ପ୍ରଧାନ ଓ ଏଲିଆଶ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଡିଏସଏ ସମ୍ପାଦକ ପଦ ପାଇଁ ରାକେଶ ବେହେରା, ଶୁଭ୍ର ଶୋଭିତ ନାୟକ ଓ ଇତି ନାୟକ ରହିଛନ୍ତି। ଡିଏସଏ ସହ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ପଟ୍ଟନାୟକ, ବିଜୟ କହଁର ଓ ଅମ୍ଳାନ ନାୟକ ମଇଦାନରେ ଅଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ା ସମ୍ପାଦକ ପଦ ପାଇଁ ଇଶାକ ନାୟକ, ଶିବୁ ମଝିଆସେଠ, ଏସ୍. ଶୁଭଶ୍ରୀ ପାତ୍ର ଓ ତୁଷାର ପାତ୍ର ଲଢ଼ୁଥିବା ବେଳେ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ଏଞ୍ଜେଲ ନାୟକ, ରାମ ମଲ୍ଲିକ ଓ ସୌମ୍ୟରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ଅବାଧ ରଖିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲିଙ୍ଗଡୋ କମିଶନଙ୍କ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ଓ ଛାତ୍ର ସଂଗଠନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରିବେ। ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାପରେ ୧୫ ତାରିଖରେ ମତଦାନ ଏବଂ ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।
ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବା ବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ରହିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।
