ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ମାମଲାରେ ଆଉ ୩ ଗିରଫ : କଲରାପତରିଆ ବାଘ ନଖ, ଦାନ୍ତ ଓ ଶିଙ୍ଗ ସହ ୨ ହରିଣ ଖପୁରୀ ଜବତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଓ ଅବୈଧ ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗ କାରବାର ବିରୋଧରେ ବନ ବିଭାଗର ତଦନ୍ତ ଜୋରଦାର ହୋଇଛି। କଲରାପତରିଆ ବାଘ ଛାଲ ଚୋରା କାରବାର ମାମଲାରେ ଆଉ ୩ ଜଣଙ୍କୁ ଗିରଫ କରିଛି ବାଲିଗୁଡ଼ା ବନଖଣ୍ଡ। ଅଭିଯୁକ୍ତଙ୍କଠାରୁ ୪ଟି ବାଘ ନଖ, ୪ଟି ଦାନ୍ତ, ଶିଙ୍ଗ ସହ ୨ଟି ହରିଣ ଖପୁରୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଜବତ ହୋଇଛି। ଏହି ଘଟଣା ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲ ଭିତରେ ଚାଲିଥିବା ବେଆଇନ ଶିକାରକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ବନ ବିଭାଗର ସୂଚନା ଅନୁଯାୟୀ, ୨୦୨୬-୨୭ ମସିହାର କେସ୍ ନଂ ୪୩ ଅନୁସାରେ ଏହି ମାମଲାର ତଦନ୍ତ ଚାଲିଛି। ଗତ ଅକ୍ଟୋବର ୧୭ ତାରିଖରେ ଦୁଇଟି କଲରାପତରିଆ ବାଘ ଛାଲର ବେଆଇନ କାରବାରକୁ ନେଇ ବାଲିଗୁଡ଼ା ବନାଞ୍ଚଳ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତକୁ ଆଗକୁ ବଢ଼ାଇ ବନ ବିଭାଗ ଆଉ ତିନି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଟିକାବାଲି ଥାନା ଅନ୍ତର୍ଗତ ଜାବେଡ଼ି ଗ୍ରାମର ଅମିତାଭ ପ୍ରଧାନ ଓ ତୋଫାନ ପ୍ରଧାନ ରହିଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ମାଝୀଙ୍କୁ ଦୁଇଟି ବାଘ ଛାଲ ଯୋଗାଇଥିବା ଅଭିଯୋଗ ରହିଛି।


ସେହିପରି ରାଜିକାଖୋଲ ଗ୍ରାମର ଦିଗମ୍ବର କହଁର ଓରଫ ଡିମ୍ବାଙ୍କୁ ମଧ୍ୟ ବନ ବିଭାଗ ଗିରଫ କରିଛି। ସେ ନିଜ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ବ୍ୟବହାର କରି ବାଘ ଶିକାର କରୁଥିବା ତଦନ୍ତରୁ ଜଣାପଡ଼ିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଦିଗମ୍ବରଙ୍କ ନିକଟରେ ଚଢ଼ାଉ କରି ବନ ବିଭାଗ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ସେଥିମଧ୍ୟରେ ୪ଟି କଲରାପତରିଆ ବାଘ ନଖ, ୪ଟି ବାଘ ଦାନ୍ତ ଏବଂ ଶିଙ୍ଗ ଲାଗିଥିବା ୨ଟି ହରିଣ ଖପୁରୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ରହିଛି। ବନ୍ୟଜନ୍ତୁଙ୍କୁ ଶିକାର କରି ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର କରିବା ଏକ ଗୁରୁତର ଆଇନଗତ ଅପରାଧ। ଏହି ମାମଲା ରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ କେଉଁଠାକୁ ଚାଲାଣ ହେଉଥିଲା, ସେ ଦିଗରେ ତଦନ୍ତର ଗୁରୁତ୍ୱ ରହିଛି। ଏହି ଚଢ଼ାଉରେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଡି. ସୁବାସ ଚନ୍ଦ୍ର, ବନପାଳ ପ୍ରଭାତ କୁମାର ଦୋରା, ବନରକ୍ଷୀ ସତ୍ୟନାରାୟଣ ମହାନ୍ତି ଓ ବିଜୟାନନ୍ଦ ସେଠୀ ଏବଂ ଟିକାବାଲି ବନପାଳ ମୁକ୍ତାଞ୍ଜଳି ବେହେରା ସାମିଲ ଥିଲେ। ସହକାରୀ ବନ ସଂରକ୍ଷକ ତଥା ମାମଲାର ତଦନ୍ତକାରୀ ଅଧିକାରୀ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା। ବାଲିଗୁଡ଼ା ବନଖଣ୍ଡର ଡିଏଫ୍‌ଓ ତଥା ବନ୍ୟପ୍ରାଣୀ ୱାର୍ଡେନ୍ ଘନଶ୍ୟାମ ମହନ୍ତ ବନ୍ୟଜନ୍ତୁ ଚୋରା କାରବାର ବିରୋଧରେ କଠୋର ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସନ୍ଦେହଜନକ ଶିକାର କିମ୍ବା ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ କାରବାର ସମ୍ପର୍କରେ ନିକଟସ୍ଥ ବନ କାର୍ଯ୍ୟାଳୟକୁ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.