ବାଲିଗୁଡ଼ା : ଧର୍ମୀୟ ଭାବନା, ଭକ୍ତି ଓ ଭାଇଚାରାର ମହାନ ପରମ୍ପରାକୁ ଆଧାର କରି ବାଲିଗୁଡ଼ାରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି, ବାଲିଗୁଡ଼ା ପକ୍ଷରୁ ବାଲିଗୁଡ଼ା ପଞ୍ଚୁଦଣ୍ଡ ପରିଚାଳନା ସମିତିକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଦୁର୍ଗାପୂଜା ସମିତି ପକ୍ଷରୁ ପଞ୍ଚୁଦଣ୍ଡ ପରିଚାଳନା ସମିତିକୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିବାରୁ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ମା’ଙ୍କ ଶାରଦୀୟ ପୂଜା ଅବସରରେ ଏହି ନିମନ୍ତ୍ରଣକୁ ଧାର୍ମିକ ପରମ୍ପରା ଓ ସାମାଜିକ ସଦ୍ଭାବନାର ଏକ ସୁନ୍ଦର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ବାଲିଗୁଡ଼ାରେ ମା’ ପାଟଖଣ୍ଡାଙ୍କ ପୂଜା ଓ ପଞ୍ଚୁଦଣ୍ଡ ଯାତ୍ରା ଉଭୟ ଧାର୍ମିକ ଆସ୍ଥା ଏବଂ ଜନସାଧାରଣଙ୍କ ଭାବାବେଗ ସହ ଜଡ଼ିତ। ଏଭଳି ଧାର୍ମିକ ଉତ୍ସବ ସମାଜରେ ଏକତା, ସହଯୋଗ ଓ ପାରସ୍ପରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଥାଏ। ବିଭିନ୍ନ ପୂଜା କମିଟି ଓ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ଏପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ବିନିମୟ ବାଲିଗୁଡ଼ାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା ପ୍ରକାଶ ପାଇଛି।
ଏହି ଅବସରରେ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ମା’ଙ୍କ ଆଶୀର୍ବାଦରେ ଚଳିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଶାନ୍ତିପୂର୍ଣ୍ଣ, ସୁରୁଖୁରୁରେ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉ ବୋଲି କାମନା କରାଯାଇଛି।
