ସମୁଦ୍ରରେ ବୁଡ଼ିଗଲେ ୩ ସାଙ୍ଗ, ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ

ଜଗତସିଂହପୁର: ପାରାଦୀପ ବେଳାଭୂମିକୁ ବୁଲିବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ପୂର୍ବରୁ ସେମାନେ ତିଆରି କରିଥିବା ରିଲ୍‌ସକୁ ନେଇ ଏବେ ତଦନ୍ତ ଆଗକୁ ବଢୁଛି। ମୃତ ଯୁବକ ହେଲେ ମହମ୍ମଦ ଅମୀର ହୁସେନ୍ (୧୮)। ଦୁଇ ନିଖୋଜ ଯୁବକ ହେଲେ ମହମ୍ମଦ ସାହାନଵାଜ ଓ ମହମ୍ମଦ କାସିଫ୍। ବିହାର ବେଗୁସରାଇ ଜିଲ୍ଲା ବରୌଣି ଥାନା ଅନ୍ତର୍ଗତ ପପ୍ରୌର ଅଞ୍ଚଳର ୪ ଜଣ ସାଙ୍ଗ ପାରାଦୀପଗଡ଼ ଅଞ୍ଚଳରେ ଭଡ଼ାଘର ନେଇ ରହୁଥିଲେ। ସେମାନେ କିଛିଦିନ ତଳେ ଆଇଓସିଏଲ୍ କମ୍ପାନିରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ୭ ତାରିଖ ଅପରାହ୍ଣରେ ଅମୀର, ସାହାନଵାଜ, କାସିଫ୍ ଓ ମହମ୍ମଦ ସାହିଲ ପାରାଦୀପ ବେଳାଭୂମି ବୁଲିବାକୁ ଯାଇଥିଲେ।

ସାହିଲ ଫୋନରେ କଥା ହେଉଥିବାବେଳେ ତିନି ସାଙ୍ଗ ସମୁଦ୍ର କୂଳକୁ ଯାଇଥିଲେ। କିଛି ସମୟ ପରେ ସାହିଲ ସମୁଦ୍ର ନିକଟକୁ ଯାଇଥିଲେ ମଧ୍ୟ ତିନି ଜଣଙ୍କର ପତ୍ତା ପାଇ ନ ଥିଲେ। ସେମାନଙ୍କ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା। ଏ ନେଇ ଜଟାଧାରୀ ମୁହାଣ ଥାନା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସାହିଲ। ପରେ ଅମୀରଙ୍କ ମୃତଦେହ ବେଳାଭୂମି ନିକଟରୁ ମିଳିଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି।  ସାହିଲ କିଛି ଦେଖି ନ ଥିବା ପରିବାର ଲୋକଙ୍କୁ କହିବା ଆହୁରି ସନ୍ଦେହ ବଢ଼ାଇଛି।

ad-week
Leave A Reply

Your email address will not be published.