ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହ ‘ସେବା ସେତୁ’ ଶିବିର

ପୋଲସରା, ତା. ୧୨/୧୦: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ସହିତ ‘ସେବା ସେତୁ’ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଆରକ୍ଷୀ ଅଧୀକ୍ଷକ, ଗଞ୍ଜାମ ଗିରିଶ ବି.ସି., ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ ।

‘ସେବା ସେତୁ’ ଶିବିରରେ ବିଭିନ୍ନ ବିଭାଗ ପକ୍ଷରୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ଷ୍ଟଲ୍‌ ଖୋଲାଯାଇ ସରକାରୀ ଯୋଜନା ଓ ଜନକଲ୍ୟାଣକାରୀ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିରରେ ମୋଟ ୧୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ଓ ୨୧ଟି ସାମୂହିକ ସମସ୍ୟା ସମ୍ପର୍କିତ ଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସହାୟତା ପାଇଁ ୧୩ଟି ଏବଂ ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା।

ଏହି ଅବସରରେ ୬ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା, ୧୧ ଜଣଙ୍କୁ ରାସନ କାର୍ଡ ଓ ଜଣଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା। ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ୍, ଜଣଙ୍କୁ କ୍ରଚ୍ ଓ ଅନ୍ୟ ଜଣଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା।

ମହିଳା ସଶକ୍ତୀକରଣ ଓ ଜୀବିକା ବିକାଶ ଦିଗରେ ମା’ ବୈଷ୍ଣବଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କାର ବୀଜ ପୁଞ୍ଜି ଏବଂ ଅନ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ ଲକ୍ଷ ଟଙ୍କାର ମହିଳା ଉଦ୍ୟୋଗୀ ଋଣ ପ୍ରଦାନ କରାଯାଇଥିଲା। ଅନ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୪,୧୬୯ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଜଣେ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ବୀମା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିସହ ୧୩ ଜଣ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ ୧,୦୭,୫୦୦ ଟଙ୍କାର ସହାୟତା ମଞ୍ଜୁର କରାଯାଇଥିଲା।

ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ତର୍ଜମା କରି ତ୍ୱରିତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହିତ ଗଞ୍ଜାମ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲାର ମୋଟ ୨୨ଟି ବ୍ଲକରେ ୬୧୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୧୬୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ

ad-week
Leave A Reply

Your email address will not be published.