ଦଶହରାରେ ନାହିଁ ବାତ୍ୟା ଆଶଙ୍କା, ଅଧିକାଂଶ ସ୍ଥାନରେ ଶୁଖିଲା ରହିବ ପାଗ ! ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଚଳିତବର୍ଷ ଦଶହରା ସମୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । କିନ୍ତୁ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ରାଜ୍ୟର ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବା ସହ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅକ୍ଟୋବର ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଗର ଏଭଳି ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଅକ୍ଟୋବର ୧୪ରୁ ୧୬ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଲଘୁଚାପଟି ଆନ୍ଧ୍ରପ୍ରଦେଶ କିମ୍ବା ତାହାର ଆହୁରି ଦକ୍ଷିଣ ଦିଗକୁ ଗତି କଲେ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିପାରେ। ତେବେ ଏହା ଦକ୍ଷିଣ ଓଡ଼ିଶା ନିକଟକୁ ଆସିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ। ଉଚ୍ଚତା ଅନୁସାରେ ପବନର ଦିଗ ଓ ବେଗରେ ପରିବର୍ତ୍ତନ ଏବଂ ଶୁଖିଲା ବାୟୁର ପ୍ରବେଶ ଯୋଗୁଁ ଏହାର ଅଧିକ ଘନୀଭୂତ ହେବାରେ ବାଧା ସୃଷ୍ଟି ହୋଇପାରେ। ଏପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ସୂଚନା ନାହିଁ ବୋଲି କହିଛନ୍ତି ପ୍ରଫେସର ପଶୁପାଳକ ।

ଅକ୍ଟୋବର ୧୭ରୁ ୧୯ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୧୨ରୁ ୧୬ ତାରିଖ ମଧ୍ୟରେ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିବ। ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଅକ୍ଟୋବର ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ କିଛି ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିପାରେ।

ad-week
Leave A Reply

Your email address will not be published.