ବ୍ୟାରିକେଡ୍ ଡେଇଁ ଜନ୍ତରମନ୍ତରରେ ପଶିଲେ CJP ନେତା: ପୁଣି ସୌରଭ, ଆଶୁତୋଷ ଓ ଅଜିଙ୍କ୍ୟ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ହାଇଡ୍ରାମା । କଡ଼ା ପୋଲିସ ସୁରକ୍ଷା ଓ ବ୍ୟାରିକେଡ୍ ସତ୍ତ୍ୱେ ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିଛନ୍ତି କକ୍ରୋଚ୍ ଜନତା ପାର୍ଟି ବା CJPର ନେତା ଓ କର୍ମୀ । ଦଳର ମୁଖ୍ୟ ମୁଖପାତ୍ର ସୌରଭ ଦାସ, ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ଶିନ୍ଦେଙ୍କ ସମେତ ଅନେକ କର୍ମୀଙ୍କୁ ପୁଣି ହେପାଜତକୁ ନେଇଛି ଦିଲ୍ଲୀ ପୋଲିସ ।

ଆଜି ସକାଳେ CJPର ନେତା ଓ କର୍ମୀମାନେ ଜାତୀୟ ପତାକା ଧରି ଜନ୍ତରମନ୍ତରରେ ପହଞ୍ଚିଥିଲେ । କେତେକ କର୍ମୀ ଲୁହା ଗେଟ୍ ଓ ପୋଲିସ ବ୍ୟାରିକେଡ୍ ଡେଇଁ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ସେମାନେ ‘ଭାରତ ମାତା କି ଜୟ’, ‘ଇନକିଲାବ ଜିନ୍ଦାବାଦ’ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ନାରାବାଜି କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା । ପରେ ପ୍ରତିବାଦକାରୀଙ୍କୁ ହେପାଜତକୁ ନିଆଯାଇଥିଲା । ଯାହାର ଭିଡିଓ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିବା ପରେ ତାଙ୍କ ଦଳର ନେତା ଓ କର୍ମୀଙ୍କୁ ପୋଲିସ ଉଠାଇନେଇଥିବା ସେ କହିଛନ୍ତି । ସୌରଭ ଦାସ ମଧ୍ୟ ସୋସିଆଲ ମିଡିଆରେ ସେମାନଙ୍କୁ ଜାଫରପୁର ଥାନାକୁ ନିଆଯାଇଥିବା ଜଣାଇଛନ୍ତି।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜନ୍ତରମନ୍ତରକୁ ଅନୁମୋଦିତ ଆନ୍ଦୋଳନସ୍ଥଳ ତାଲିକାରୁ ହଟାଯିବା ପରେ ଏହି ଘଟଣା ଘଟିଛି । ପ୍ରଶାସନର ଏହି ନିଷ୍ପତ୍ତିକୁ CJP ବିରୋଧ କରିଛି। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନାଗରିକଙ୍କ ସାମ୍ବିଧାନିକ ଅଧିକାର ବୋଲି ଦଳ ଦାବି କରୁଛି । ଅନ୍ୟପଟେ ଅନୁମତି ବିନା ନିଷିଦ୍ଧ ଅଞ୍ଚଳରେ ପ୍ରତିବାଦ ଓ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ଏହା ପୂର୍ବରୁ ଅକ୍ଟୋବର ୧୦ରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJPର ପ୍ରସ୍ତାବିତ ବିକ୍ଷୋଭକୁ ନେଇ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେତେବେଳେ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୋଲିସ ହେପାଜତକୁ ନେଇଥିଲା । ଅକ୍ଟୋବର ୧୧ରେ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବା ସର୍ତ୍ତରେ ସେମାନଙ୍କୁ ମୁକ୍ତ କରାଯାଇଥିଲା । ଏହାର ମାତ୍ର ୨ ଦିନ ପରେ ପୁଣି ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ହେପାଜତକୁ ନିଆଯାଇଛି । ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି CJP ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି । ତେବେ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ପ୍ରମାଣିତ ହୋଇନାହିଁ ।

ନିର୍ବାଚନ କମିଶନ ଭୋଟର ତାଲିକା ସଂଶୋଧନକୁ ନିୟମିତ ପ୍ରକ୍ରିୟା ବୋଲି ଦର୍ଶାଇଆସିଛନ୍ତି।ଜନ୍ତରମନ୍ତରରେ ଆନ୍ଦୋଳନ ଜାରି ରଖିବାକୁ CJP ଘୋଷଣା କରିଥିବା ବେଳେ ଆଜିର ଘଟଣା ପରେ ଦିଲ୍ଲୀ ପୋଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ବିବାଦ ପୁଣି ତୀବ୍ର ହୋଇଛି ।

ad-week
Leave A Reply

Your email address will not be published.