କଳିଙ୍ଗନଗରରେ ୪୬ଟି ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଲୋକାର୍ପଣ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି।କାର୍ଯ୍ୟକ୍ରମ ମୋଟ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୪୨,୫୧୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଆନ୍ଦୋଳନରେ ବ୍ୟସ୍ତ, ଆମେ ବିକାଶରେ ବ୍ୟସ୍ତ। ସେମାନେ ରାଜନୀତିରେ ବ୍ୟସ୍ତ, ଆମେ ଓଡ଼ିଶା ପ୍ରଗତିରେ ବ୍ୟସ୍ତ, ଏମିତି କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

ଏହା ସହିତ ଶିଳ୍ପପତି ଓ ନିବେଶକମାନଙ୍କ ସହ ଗୋଲଟେବୁଲ ବୈଠକ ଏବଂ ଏକକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଳ୍ପ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ, ନିବେଶକଙ୍କ ସମସ୍ୟା ଓ ରାଜ୍ୟରେ ଶିଳ୍ପ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ୪୬ଟି ପ୍ରକଳ୍ପ ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ।

ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ନିବେଶର ନୂଆ ସମ୍ଭାବନା ସୃଷ୍ଟି କରିବ। ଇସ୍ପାତ ଓ ଧାତୁ, ରାସାୟନିକ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଜୈବ ଇନ୍ଧନ, ବୟନ ଓ ପୋଷାକ, ଇଲେକ୍ଟ୍ରୋନିକ୍ସ, ଆଇଟି ସେବା, ଲଜିଷ୍ଟିକ୍ସ, ଗୋଦାମ ଗୃହ, ପର୍ଯ୍ୟଟନ ଓ ଆତିଥେୟତା, ଶିଳ୍ପ ଗ୍ୟାସ୍, ଭିତ୍ତିଭୂମି, ରବର ଓ ପ୍ଲାଷ୍ଟିକ୍, ଜାହାଜ ନିର୍ମାଣ ଓ ମରାମତି, ଶକ୍ତି ସଂରକ୍ଷଣ, ରିଫ୍ରାକ୍ଟରିଜ୍, ସର୍କୁଲାର ଇକୋନୋମି ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ର ଏଥିରେ ସାମିଲ ରହିଛି।

ସ୍ଥାନୀୟ ଉଦ୍ୟୋଗ ଓ ଯୁବକଯୁବତୀଙ୍କୁ ସୁଯୋଗ- ନିବେଶଗୁଡ଼ିକ ରାଜ୍ୟର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହ ସ୍ଥାନୀୟ ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ବଜାର ସୁଯୋଗ ସୃଷ୍ଟି କରିବ। ପ୍ରତ୍ୟକ୍ଷ ନିଯୁକ୍ତି ବ୍ୟତୀତ ନିର୍ମାଣ, ପରିବହନ, ଲଜିଷ୍ଟିକ୍ସ ଓ ଅନ୍ୟାନ୍ୟ ସହାୟକ ସେବା କ୍ଷେତ୍ରରେ ମଧ୍ୟ ରୋଜଗାର ବୃଦ୍ଧିର ସମ୍ଭାବନା ରହିଛି। ଏହା ଦ୍ୱାରା ଦକ୍ଷ ଓ ଅର୍ଦ୍ଧଦକ୍ଷ ଶ୍ରମିକ, ଯୁବକ ଯୁବତୀ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକାରେ ସୁଧାର ଆସିବା ଆଶା ରଖିଛନ୍ତି ରାଜ୍ୟ ସରକାର।

ad-week
Leave A Reply

Your email address will not be published.