ନୂଆଦିଲ୍ଲୀ: ଲଦାଖକୁ ନେଇ ଚୀନର ଆପତ୍ତିର କଡ଼ା ଜବାବ ଦେଲା ଭାରତ । ଚୀନ୍ ସ୍ୱୀକାର କରୁ କି ନକରୁ, ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରୋକଠୋକ କହିଛି । ଲଦାଖକୁ ନେଇ ପୁଣି ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ମତଭେଦ ସାମ୍ନାକୁ ଆସିଛି । ଲଦାଖର ୨୮ ଭୌଗୋଳିକ ସ୍ଥାନ ଓ ପ୍ରାକୃତିକ ବୈଶିଷ୍ଟ୍ୟକୁ ସରକାରୀ ମାନଚିତ୍ରରେ ନିର୍ଦ୍ଦିଷ୍ଟ ନାମରେ ଚିହ୍ନଟ କରିବା ନେଇ ଚୀନ୍ ଆପତ୍ତି ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି । ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ଚୀନ୍ ଏହାକୁ ଯେତେ ଅସ୍ୱୀକାର କଲେ ମଧ୍ୟ ସତ୍ୟ ବଦଳିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି ।
ଗତକାଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ । ଚୀନ୍ ପକ୍ଷରୁ ଏହାକୁ ଯେତେଥର ଅସ୍ୱୀକାର କରାଗଲେ ମଧ୍ୟ ଏହି ପ୍ରତିଷ୍ଠିତ ସତ୍ୟକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଗତ ୨ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲଦାଖର ୨୮ଟି ଭୌଗୋଳିକ ସ୍ଥାନ ଓ ପ୍ରାକୃତିକ ବୈଶିଷ୍ଟ୍ୟକୁ ଆନୁଷ୍ଠାନିକ ଭାବେ ଚିହ୍ନଟ କରିବା ସମ୍ପର୍କରେ ଘୋଷଣା କରିଥିଲା । ଲଦାଖ ପ୍ରଶାସନ ଓ ସ୍ଥାନୀୟ ଅଂଶୀଦାରଙ୍କ ସହ ପରାମର୍ଶ କରି ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ଏହି ସ୍ଥାନଗୁଡ଼ିକର ମାନକ ନାମ ନିର୍ଦ୍ଧାରଣ କରାଯାଇଛି । ଏହି ୨୮ଟି ସ୍ଥାନ ମଧ୍ୟରେ ୧୦ଟି ପର୍ବତ ଶିଖର, ୨ଟି ଗିରିପଥ, ୩ଟି ପର୍ବତ, ୭ଟି ଭୂଖଣ୍ଡ, ୨ଟି ହିମବାହ, ୨ଟି ଜଳାଶୟ, ଗୋଟିଏ ଉପତ୍ୟକା ଓ ଗୋଟିଏ ନଦୀ ରହିଛି ।
ଏହାଦ୍ୱାରା ସମ୍ପୃକ୍ତ ସ୍ଥାନଗୁଡ଼ିକୁ ସଠିକ୍ ଭାବେ ଚିହ୍ନଟ କରିବା ସହ ସେଗୁଡ଼ିକ ସମ୍ପର୍କରେ ସାଧାରଣ ଲୋକଙ୍କ ସଚେତନତା ବୃଦ୍ଧି ପାଇବ ବୋଲି ଭାରତ ସରକାର କହିଛନ୍ତି । ତେବେ ଭାରତର ଏହି ପଦକ୍ଷେପକୁ ଚୀନ୍ ବିରୋଧ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ, ବେଜିଂ କେବେ ମଧ୍ୟ ଭାରତର ତଥାକଥିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ସ୍ୱୀକୃତି ଦେଇନାହିଁ । ଭାରତ ପକ୍ଷରୁ ଭୌଗୋଳିକ ସ୍ଥାନଗୁଡ଼ିକର ନାମ ନିର୍ଦ୍ଧାରଣକୁ ଚୀନ୍ ବେଆଇନ ଓ ଅବୈଧ ବୋଲି ଦର୍ଶାଇଛି । ଏଭଳି ପଦକ୍ଷେପ ଭାରତ-ଚୀନ୍ ସୀମାର ପଶ୍ଚିମ ଭାଗର ସ୍ଥିତିକୁ ବଦଳାଇପାରିବ ନାହିଁ ବୋଲି ଚୀନ୍ ଦାବି କରିଛି ।
ଏହାର ଜବାବରେ ଭାରତ କହିଛି ଯେ, ଲଦାଖର ଭୌଗୋଳିକ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ସମ୍ପର୍କରେ ଗୃହ ମନ୍ତ୍ରଣାଳୟର ଘୋଷଣା ନିଜେ ସବୁକିଛି ସ୍ପଷ୍ଟ କରୁଛି । ପୂର୍ବରୁ ଚୀନ୍ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରି ନିଜସ୍ୱ ନାମ ଘୋଷଣା କରିଥିଲା। ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରୁଥିବାବେଳେ ଭାରତ ଏହାକୁ ଲଗାତାର ପ୍ରତ୍ୟାଖ୍ୟାନ କରିଆସିଛି । କେବଳ କୌଣସି ସ୍ଥାନର ନାମ ବଦଳାଇଦେଲେ ତାହାର ଭୌଗୋଳିକ ଓ ରାଜନୈତିକ ସ୍ଥିତି ବଦଳିଯାଏ ନାହିଁ ବୋଲି ଭାରତର ଆଭିମୁଖ୍ୟ ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହାରେ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍ ଏସି ନିକଟରେ ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚାରି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସାମରିକ ମୁହାଁମୁହିଁ ସ୍ଥିତି ପରେ ଦୁଇ ଦେଶ ସମ୍ପର୍କ ସ୍ୱାଭାବିକ କରିବାକୁ ଆଲୋଚନା ଜାରି ରଖିଛନ୍ତି । ଏହି ସମୟରେ ଲଦାଖର ୨୮ ସ୍ଥାନର ନାମକରଣକୁ ନେଇ ନୂଆ ମତଭେଦ ସାମ୍ନାକୁ ଆସିଛି ।
