ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨ ଲକ୍ଷ ୯୧ ହଜାର ୬୬୬ ଘର, ୨୦୨୯ ପର୍ଯ୍ୟନ୍ତ ବଢ଼ିଲା ଅବଧି

ଭୁବନେଶ୍ୱର : ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ଘର ।  ଏହା ସହ ଯୋଜନାର ଅବଧି ଆଉ ଦୁଇ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  ପୂର୍ବରୁ ୨୦୨୭ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାଳ ଥିବା ବେଳେ ଏବେ ୨୦୨୯ ପର୍ଯ୍ୟନ୍ତ ଚାଲିବ ।  ତେବେ ଯୋଜନାର ମୋଟ ବ୍ୟୟ ୭ ହଜାର ୫୫୦ କୋଟି ଟଙ୍କା ଅପରିବର୍ତ୍ତିତ ରହିବ।

ତେବେ ପୂର୍ବରୁ ଘର ମରାମତି ପାଇଁ ଉଦ୍ଦିଷ୍ଟ ୩ ହଜାର ୫୦୦ କୋଟି ଟଙ୍କାକୁ ନୂଆ ଘର ନିର୍ମାଣରେ ବିନିଯୋଗ କରାଯିବ ।  ଏହାସହ ଘର ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି କରାଯାଇଛି।  ପୂର୍ବରୁ ଚାରି ମାସ ମଧ୍ୟରେ ଘର ଶେଷ କଲେ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ପାଞ୍ଚ ମାସରେ ଶେଷ କଲେ ୩୫ ହଜାର ଟଙ୍କା ମିଳିବ।  ସେହିପରି ଛଅ ମାସରେ ଘର ଶେଷ କଲେ ମିଳୁଥିବା ୧୦ ହଜାର ଟଙ୍କା ବଦଳରେ ଏବେ ସାତ ମାସରେ ଶେଷ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ।

ନୂଆ ହିତାଧିକାରୀ ଚିହ୍ନଟ ପାଇଁ ଶୀଘ୍ର ସର୍ଭେ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।  ପୂର୍ବରୁ ୪୮ ହଜାର ୫୦୦ ଟଙ୍କା କିମ୍ବା ତାହାଠାରୁ କମ୍ ସହାୟତା ପାଇଥିବା ହିତାଧିକାରୀଙ୍କ ସମେତ ଅନ୍ୟ ଯୋଗ୍ୟ ପରିବାରଙ୍କୁ ଏଥିରେ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ଗରିବ ଓ ଅସହାୟ ପରିବାରଙ୍କୁ ଆବାସ ସୁବିଧା ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ।  ସମସ୍ତଙ୍କ ପାଇଁ ଘର ଯୋଗାଇବାର ଲକ୍ଷ୍ୟ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶା ବ୍ୟକ୍ତ କରିଛନ୍ତି ।

ad-week
Leave A Reply

Your email address will not be published.