ରୁଷରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୭.୦

ରୁଷ: ରୁଷିଆର ସୁଦୂର ପୂର୍ବରେ ଅବସ୍ଥିତ କାମଚାଟକା ଉପଦ୍ୱୀପ ଅଞ୍ଚଳରେ ଶୁକ୍ରବାର ଦିନ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୭.୦ ଥିବା ସୂଚନା ମିଳିଛି । ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (NOAA) ସ୍ପଷ୍ଟ କରିଛି ଯେ ଭୂମିକମ୍ପ ପରେ ସୁନାମିକୁ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ କିମ୍ବା ସୁନାମିର କୌଣସି ବିପଦ ନାହିଁ । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

NCS ଅନୁଯାୟୀ, ଶୁକ୍ରବାର ଅର୍ଥାତ୍ ଆଜି ସକାଳ ପ୍ରାୟ ୯ଟା ୫ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୫୨ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । NCS ଭୂମିକମ୍ପର କେନ୍ଦ୍ରକୁ ୫୨.୦୬୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୫୭.୧୬୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରିଛି । ସେହିପରି, EMSC ଏହାର ପ୍ରାରମ୍ଭିକ ଆକଳନରେ ଭୂମିକମ୍ପର ତୀବ୍ରତା ୭.୦ ବୋଲି ଜଣାଇଛି । ଏହି ସଂସ୍ଥା ଅନୁଯାୟୀ, ରୁଷିଆର ଭିଲ୍ୟୁଚିନ୍ସ ସହରଠାରୁ ପ୍ରାୟ ୧୨୩ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ର ରହିଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ EMSC କହିଛି ଯେ ଭୂକମ୍ପ ତଥ୍ୟ ଆଧାରରେ ଭୂମିକମ୍ପ ନିଶ୍ଚିତ କରାଯାଇଛି ।

ad-week
Leave A Reply

Your email address will not be published.