ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗ: ବନ୍ଧା ହେଲେ ୫ ଦଲାଲ

ନୂଆପଡା: ଶ୍ରମିକ ଚାଲାଣ ଓ ଶ୍ରମିକଙ୍କ ଶୋଷଣ ଅଭିଯୋଗରେ ନୂଆପଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କେତେକ ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଉତ୍ତରପ୍ରଦେଶର ଇଟାଭାଟିକୁ କାମ କରିବା ପାଇଁ ପଠାଉଥିଲେ।

ମାମଲାର ତଦନ୍ତ ସମୟରେ ପୋଲିସ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ: ଗୋଲୁ ଓରଫ ନୀଳକମଳ ଚନ୍ଦ୍ରାକର (୩୮), ବେଲଟୁକୁରୀ, ନୂଆପଡ଼ା , ମୁଲଚାନ୍ଦ ସବର (୩୫), ବେଲଟୁକୁରୀ, ନୂଆପଡ଼ା, ସନୋଜ ଲୋହାର (୩୪), ପାଣ୍ଡ୍ରାପାଣି, ନୂଆପଡ଼ା ସନ୍ତୋଷ ଅଗ୍ରୱାଲ (୪୨), ତେନ୍ଦୁକାନା, ମହାସମୁନ୍ଦ, ଛତିଶଗଡ଼,ଅନୁପ ଅଗ୍ରୱାଲ (୪୭), ବସନା, ମହାସମୁନ୍ଦ, ଛତିଶଗଡ଼।

ଅଭିଯୋଗକାରୀ କହିଛନ୍ତି ଯେ,୨୦୨୪ ସେପ୍ଟେମ୍ବରରେ ଅଭିଯୋଗକାରୀଙ୍କ ବାପା ଓ ବଡ଼ଭାଇଙ୍କୁ ଜୋରଜବରଦସ୍ତ ବରାକୋଠି ଗାଁକୁ ନିଆଯାଇଥିଲା। ସେଠାରେ ଟଙ୍କା ଫେରସ୍ତକୁ ନେଇ ସେମାନଙ୍କୁ ମାଡ଼ ମରାଯିବା ସହ ଧମକ ଦିଆଯାଇଥିଲା। ଏହାପରେ ଇଟାଭାଟିରେ କାମ କରିବାକୁ ମନା କରିବାରୁ ପରିବାରକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା। ଇଟାଭାଟିରେ କାମ କରିବା ସମୟରେ ତାଙ୍କ ବାପା ଓ ମାଆଙ୍କୁ ଅମାନବୀୟ ପରିସ୍ଥିତିରେ କାମ କରିବାକୁ ବାଧ୍ୟ କରାଯିବା ସହ ସେମାନଙ୍କ ଯାତାୟତ ଉପରେ କଟକଣା ଲଗାଯାଇଥିଲା ଏବଂ ଶୋଷଣ କରାଯାଇଥିଲା। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଆଇନ, ୧୯୭୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.