କଟକ : ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ସଂଗ୍ରହ ହେଉଥିବା ସୂଚନା ଆଧାରରେ ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ ।
ସେ ଏକ ସରକାରୀ ଭାବେ ନିୟୋଜିତ ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ତାଙ୍କଠାରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ମିଳିଥିଲା । ଏହାପରେ ଆଜି ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା । ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ଦେଇ ନପାରିବାରୁ ଏହି ଟଙ୍କାକୁ ଜବତ କରାଯାଇଛି ।
ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଜବତ ଟଙ୍କାର ଉତ୍ସ ନେଇ ଅଧିକ ତଦନ୍ତ ଜାରି ରହିଛି ।
