
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତିକୁଣ୍ଡ, ଗିରିରୋଡ ସେବାକେନ୍ଦ୍ର ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଆଜି ”ସ୍ବପରିବର୍ତ୍ତନ ହିଁ ବିଶ୍ବ ପରିବର୍ତ୍ତନର ଆଧାର” ଶୀର୍ଷକ ଏକ ସର୍ବଧର୍ମ ସମ୍ମିଳନୀ ଆୟୋଜିତ ହୋଇଯାଇଅଛିି । ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ସବଜୋନ ସଞ୍ଚ।ଳିକା ପବିତ୍ରତା, ଶାନ୍ତି, ଆନନ୍ଦ ଏବଂ ନିଃସ୍ବାର୍ଥ ସେବାର ପ୍ରତିମୂର୍ତ୍ତି ରାଜଯୋଗିନୀ ବ୍ରହ୍ମକୁମାରୀ ମଞ୍ଜୁ ଦିଦିଜୀଙ୍କ ସ୍ନେହପୂର୍ଣ୍ଣ ଦ୍ବିତୀୟ ପୁଣ୍ୟ ସ୍ମୃତି ଦିବସ ପାଳନ ଅବସରରେ ଆୟୋଜିତ ଉକ୍ତ ସର୍ବଧର୍ମ ସମ୍ମିଳନୀରେ ”ବସୁଧୈବ କୁଟୁମ୍ବକମ୍” ର ଭାବନା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଈଶ୍ବରୀୟ ଜ୍ଞାନ ତଥା ସହଜ ରାଜଯୋଗ ଅଭ୍ୟାସ ଦ୍ବାରା ଆମମାନଙ୍କୁ ପ୍ରଥମେ ଶାନ୍ତି, ପ୍ରେମ, ଆନନ୍ଦ, ଶକ୍ତି, ପବିତ୍ରତା ଆଦି ଦିବ୍ୟଗୁଣରେ ସୁଶୋଭିତ କରିବା ଆବଶ୍ୟକ ବୋଲି ସମସ୍ତେ ଏକମତ ହୋଇଥିଲେ । ପ୍ରେମ ସୋସାଇଟିର ଫାଦର ଡଃ. ଚାକୋ ପରେଭ ଭାନାନି ସମ୍ମାନନୀୟ ଅତିଥତ୍ ରୂପେ ଯୋଗଦେଇ ଆମ ମନରେ ବ୍ୟାପ୍ତ ନକାରାତ୍ମକ ବିଚାର ଓ ଭାବନା ଈର୍ଷ୍ୟା, ଦ୍ବେଷ, କ୍ରୋଧ, ଘୃଣା, ହିଂସା, ଝଗଡ଼। ଆଦି ଦୂର କରିବା ସକାଶେ ଆମର କର୍ମେନ୍ଦ୍ରିୟ ତଥା ଜ୍ଞାନେନ୍ଦ୍ରିୟ ଉପରେ ଅଧତ୍କାର ପ୍ରାପ୍ତ କରିବା ନିତାନ୍ତ ଆବଶ୍ୟକ । ଏହିପରି ସ୍ବପରିବର୍ତ୍ତନ ଦ୍ବାରା ବିଶ୍ବରେ ଶାନ୍ତି, ଏକତା ଭାଇଚାରା … ଆଦି ସ୍ଥାପନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଗୁରୁଦ୍ବାରା ସିଂହ ସଭାର ଜ୍ଞାନୀ ବଲଜିତ୍ ସିଂହଜୀ ଅନ୍ୟତମ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଗୁରୁ ଗ୍ରନ୍ଥ ସାହିବର ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ନିଜ ମନରୁ ଅନ୍ଧକାର ରୂପୀ ଅଜ୍ଞାନକୁ ଦୂର କରି ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଆପଣାର ଭାବ ପ୍ରଦର୍ଶନ କରି ଆଧ୍ୟାତ୍ମିକତାର ମାର୍ଗ ସହ ବିକଶିତ ଭାରତ ନିମନ୍ତେ ସର୍ବ ଧର୍ମଗୁରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଆସ୍କାସ୍ଥିତ ହନୁମାନ ମନ୍ଦିର ସାଧକ ପୂଜ୍ୟ ଶାନ୍ତିରାମ ଦାସ ନିଜର ଅନୁଭୂତି ସମ୍ପନ୍ନ ବକ୍ତବ୍ୟରେ କହିଥିଲେ ଯେ ଦୀର୍ଘଦିନର ତପସ୍ୟା, ସାଧନା, ମୌନ, ଏକଗ୍ରତା .. ଆଦି ବଳରେ ପ୍ରତ୍ୟେକ ମନୁଷ୍ୟ ନିଜ ଦିବ୍ୟ ଲକ୍ଷ୍ୟ ପ୍ରାପ୍ତ କରି ସମାଜକୁ ଶ୍ରେଷ୍ଠ ସୁନ୍ଦର ରୂପେ ଗଢ଼ି ତୋଳିପାରିବେ । ବ୍ରହ୍ମାକୁମାରୀସ୍, କଲେଜ ଛକ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ କୁଳଦୀପ ଦିଦିଜୀ ନିଜ ଆଶୀର୍ବଚନରେ କହିଥିଲେ ଯେ ଆଜି ସମାଜରେ ଜାତି, ଭାଷା, ବର୍ଣ୍ଣ, ସମ୍ପ୍ରଦାୟ, ମଧ୍ୟରେ ଦେହ ଅଭିମାନ ବଶତଃ ଅଶାନ୍ତି, ଅରାଜକତା, କଳହ, କ୍ଳେଶ … ଆଦି ପ୍ରଚଳନ ଥିଲେ ମଧ୍ୟ ମାନବ ସମାଜ ଦିନକୁ ଦିନ ପତନ ଆଡକୁ ଯାଉଛି । ଏଣୁ ବର୍ତ୍ତମାନ ସମୟରେ ପରମାତ୍ମା ଶିବ ଏହି ଧରାପୃଷ୍ଠରେ ଦିବ୍ୟ ଅବତରଣ କରି ଈଶ୍ବରୀୟ ଜ୍ଞାନର ଧାରଣ କରାଇ ମାନବ ସମାଜକୁ ଏକ ଦୈବୀ ସାମ୍ରାଜ୍ୟରେ ପରିଣତ କରିବାର ମହାନ୍ କାର୍ଯ୍ୟ କରି ଆସୁଛନ୍ତି । ଏଣୁ ସମସ୍ତେ ଏକମତ ହୋଇ ଈଶ୍ବରୀୟ କାର୍ଯ୍ୟରେ ସହଯୋଗୀ ହେବା ଆବଶ୍ୟକ ।
ବ୍ରହ୍ମାକୁମାରୀସ୍, ବ୍ରହ୍ମପୁର ସବ୍ଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ସ୍ବାଗତ ସମ୍ଭାଷଣ ସହ ସଂସ୍ଥା ପରିଚୟ ପ୍ରଦାନ କରିବା ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ ଅନ୍ତର୍ମୁଖୀ ହୋଇ ନିଜ ମନକୁ ଆୟତ୍ତ କରିବା ଦ୍ବାରା ବୁଦ୍ଧି ତା’ର ଲକ୍ଷ୍ୟ ପ୍ରାପ୍ତ ଦିଗରେ ଅଗ୍ରସର ହୋଇଥାଏ । ତେବେ ଯାଇ ମନର କୁତ୍ସିତ, କଳୁଷିତ ବିଚାରକୁ ଦୂର କରି ସେ ଆଧ୍ୟାତ୍ମିକତାର ଆଧାରରେ ନିଜକୁ ଦୈବୀ ତୁଲ୍ୟ କରିପାରିବ । ସେ ରାଜଯୋଗର ଅଭ୍ୟାସ ଦ୍ବାରା ଉପସ୍ଥିତ ଜନସାଧାରଣଙ୍କୁ ପବିତ୍ରତା, ସୁଖ, ଶାନ୍ତି, ଆନନ୍ଦ ଆଦିର ଅନୁଭବ କରାଇଥିଲେ । କୁମାରୀ ନେହା ସ୍ବାଗତ ଆଧ୍ୟାତ୍ମିକ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ । ଏହି ଅବସରରେ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ଦ୍ବିତୀୟ ପୁଣ୍ୟ ସ୍ମୃତି ଦିବସ ପାଳନ ସମୟରେ ଆମନ୍ତ୍ରିତ ସମସ୍ତ ପ୍ରତିଷ୍ଠିତ ବ୍ୟକ୍ତିଗଣଙ୍କ ଉପସ୍ଥିତିରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା । ଏଥିରେ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗ କ୍ୟାବିନେଟ ମନ୍ତ୍ରୀ ଭ୍ରାତା ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ମେୟର ଭଗିନୀ ସଂଘମିତ୍ରା ଦଳାଇ, ଛାତି ଏବଂ ଯକ୍ଷ୍ମା ରୋଗର ଆସିଷ୍ଟାଣ୍ଟ ପ୍ରଫେସର ଭ୍ରାତା ପ୍ରିୟଜିତ ଜେନା, ବରିଷ୍ଠ ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ପ୍ରଫେସର ଡ. ଭାରତୀ ମିଶ୍ର, ସ୍ଥାନୀୟ ବି.ଏସ୍.ଇ.ଟି ଇଞ୍ଜିନିୟରିଂ ସ୍କୁଲର ସଭାପତି ଭ୍ରାତା ଦୀପକ ରାଓ ଏବଂ ଅଧ୍ୟକ୍ଷ ଭ୍ରାତା ବିଦ୍ୟୁତ ରଞ୍ଜନ ଦାଶ, ବରିଷ୍ଠ ଭେଷଜ ଏବଂ ମଧୁମେହ ରୋଗ ବିଶେଷଜ୍ଞ ଡା. ପ୍ରକାଶ ଚନ୍ଦ୍ର ପାତ୍ର, ଭାଗବତ ଟୁଙ୍ଗୀର ଚଢ଼େୟାପଲ୍ଲୀର ମହନ୍ତ ଅବଧୂତ ଶାନ୍ତିରାମ ଦାସ ପ୍ରମୁଖ ଯୋଗଦେଇ ପୂର୍ବତନ ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଦିଦିଙ୍କ ପ୍ରଭୁ ମଞ୍ଜୁଳମିଳନ ସ୍ତମ୍ଭ ନିକଟରେ ତାଙ୍କରି ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
