
ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ସର୍ବେକ୍ଷଣ
ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଓ ମତଦାନ କେନ୍ଦ୍ରଗୁଡ଼ିକର ଯାଞ୍ଚ ଉପରେ ଗୁରୁତ୍ୱାରୋପ
ଛତ୍ରପୁର, ତା ୨୨/୧୦: ଆଗାମୀ ପଞ୍ଚାୟତିରାଜ ଓ ପୌର ପରିଷଦ ନିର୍ବାଚନ–୨୦୨୭କୁ ଦୃଷ୍ଟିରେ ରଖି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ସର୍ବେକ୍ଷଣ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଭିତ୍ତିଭୂମି ବିକାଶ, ମାନବ ସମ୍ବଳ ନିୟୋଜନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ଥିବା ୩,୩୨୧ଟି ମତଦାନ କେନ୍ଦ୍ର ପାଇଁ ୩,୩୨୧ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି। ଏହି କାର୍ଯ୍ୟରେ ୪୮୦ ଜଣ ବ୍ଲକ୍ ସୁପରଭାଇଜର, ୩,୩୦୮ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଏବଂ ୮,୩୬୩ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି। ସେହିପରି ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ଥିବା ୬୭୭ଟି ମତଦାନ କେନ୍ଦ୍ର ପାଇଁ ୨୯୫ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି। ଏହି ସର୍ବେକ୍ଷଣ ସମ୍ପର୍କିତ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ପ୍ରାୟତଃ ସମାପ୍ତ ହୋଇସାରିଛି।
ଏହି ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରଗୁଡ଼ିକର ପ୍ରତ୍ୟକ୍ଷ ଯାଞ୍ଚ କରିବା ସହ ନିର୍ଦ୍ଧାରିତ ପୋର୍ଟାଲରେ ନିର୍ଭୁଲ ତଥ୍ୟ ଅପଲୋଡ୍ କରିବା, ସର୍ବେକ୍ଷଣ ଦଳଗୁଡ଼ିକୁ ନିଯୁକ୍ତି ଆଦେଶ ପତ୍ର ଓ ପରିଚୟପତ୍ର ପ୍ରଦାନ କରିବା, ବାଲାଟ୍ ବାକ୍ସଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ତଥା ଯାଞ୍ଚ କରିବା, ଆବଶ୍ୟକ ଷ୍ଟ୍ରଙ୍ଗରୁମ୍ ବା ଗୋଦାମ ଚୟନ ଏବଂ ସେଗୁଡ଼ିକର ଉପଲବ୍ଧତା ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରିବା, ନିର୍ବାଚନ ସାମଗ୍ରୀର ସଠିକ୍ ବଣ୍ଟନ ବ୍ୟବସ୍ଥା ଏବଂ ବ୍ଲକ୍ ମୁଖ୍ୟାଳୟ ତଥା ପଞ୍ଚାୟତ ସ୍ତରରେ ବ୍ୟାନର୍ ଓ ପୋଷ୍ଟର୍ ମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରି ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରାଯାଇ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ପୂର୍ବରୁ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଆଭାସୀ (ଭର୍ଚୁଆଲ୍) ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ।
— ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ
