ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବ, ୨ ଲକ୍ଷ ୧୭ ହଜାର ଉପଭୋକ୍ତା ପ୍ରଭାବିତ!

puja26

ନୟାଗଡ଼: ଟିପିସିଓଡିଏଲ୍ (TPCODL) ଅଧୀନରେ ଥିବା ନୟାଗଡ଼ ବିଦ୍ୟୁତ ଡିଭିଜନରେ ଘୋର କର୍ମଚାରୀ ଅଭାବ ଯୋଗୁଁ ବିଦ୍ୟୁତ ଭିତ୍ତିଭୂମିର ସଠିକ୍ ରକ୍ଷଣାବେକ୍ଷଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ନୟାଗଡ଼ ଜିଲ୍ଲାର ପ୍ରାୟ ୨ ଲକ୍ଷ ୧୭ ହଜାର ଘରୋଇ ଓ ବ୍ୟାବସାୟିକ ଉପଭୋକ୍ତା ନିୟମିତ ବିଲ୍ ତଥା ରକ୍ଷଣାବେକ୍ଷଣ ଦେୟ ପୈଠ କରୁଥିଲେ ମଧ୍ୟ ଉଚିତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଦାବି ନେଇ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଏ ସମ୍ପର୍କରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ନୟାଗଡ଼ ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସ୍ପଷ୍ଟ କରିଛନ୍ତି।

ନୟାଗଡ଼ ବିଦ୍ୟୁତ ଡିଭିଜନ ଅଧୀନରେ ୨୪ଟି ପ୍ରାଥମିକ ସବ୍-ଷ୍ଟେସନ (PSS), ୩୬୦ କିଲୋମିଟର ୩୩ କେଭି ଲାଇନ୍, ୩,୫୦୦ କିଲୋମିଟର ୧୧ କେଭି ଲାଇନ୍ ଏବଂ ୭,୧୦୦ଟି ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ରହିଛି। ବିଦ୍ୟୁତ ନିୟାମକ ଆୟୋଗ ଏବଂ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣର ମାନଦଣ୍ଡ ଅନୁଯାୟୀ ଏହି ବିଶାଳ ଭିତ୍ତିଭୂମି ତଥା ୨,୧୭,୦୦୦ ଉପଭୋକ୍ତାଙ୍କୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ସେବା ଯୋଗାଇଦେବା ପାଇଁ ଅତିକମରେ ୪୫୦ରୁ ୫୨୦ ଜଣ କ୍ଷେତ୍ର କର୍ମଚାରୀ ଆବଶ୍ୟକ। କିନ୍ତୁ ବାସ୍ତବରେ ଠିକା ସଂସ୍ଥା ମାଧ୍ୟମରେ ମାତ୍ର ୨୯୫ ଜଣ ଲାଇନମ୍ୟାନ, ୧୬ ଜଣ ସୁପରଭାଇଜର ଏବଂ କେବଳ ଜଣେ ମାତ୍ର ସୁରକ୍ଷା ଅଧିକାରୀ ନିୟୋଜିତ ଅଛନ୍ତି, ଯାହା ମୂଳ ଆବଶ୍ୟକତା ଠାରୁ ପ୍ରାୟ ୪୦ ପ୍ରତିଶତ କମ୍।

ଏଭଳି ସ୍ଥିତିରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ପରିବର୍ତ୍ତେ, ଠିକା ସଂସ୍ଥା କାର୍ଯ୍ୟରତ ୨୯୫ ଜଣ ଲାଇନମ୍ୟାନଙ୍କ ମଧ୍ୟରୁ ୨୩ ଜଣ ଲାଇନମ୍ୟାନଙ୍କୁ ମନମୁଖୀ ଭାବେ ହଟାଇବାକୁ ଅପଚେଷ୍ଟା ଚଳାଇଥିବା ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି। ଏହାଦ୍ୱାରା ବ୍ରେକଡାଉନ୍ ମରାମତି ଓ ଲାଇନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ଏବଂ ଉପଭୋକ୍ତାମାନେ ବାରମ୍ବାର ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ୍ ଓ ଯନ୍ତ୍ରାଂଶ ପୋଡ଼ିଯିବା ଭଳି ସମସ୍ୟାର ସମ୍ମୁଖୀନ ହେବେ। ହଜାର ହଜାର କିଲୋମିଟର ବିସ୍ତୃତ ଲାଇନ ପାଇଁ ମାତ୍ର ଜଣେ ସୁରକ୍ଷା ଅଧିକାରୀ ଥିବାରୁ ସାଧାରଣ ଜନଜୀବନ ମଧ୍ୟ ନିରନ୍ତର ବିପଦ ମଧ୍ୟରେ ରହିଛି।

ତେଣୁ ତୁରନ୍ତ ଉକ୍ତ ୨୩ ଜଣ ଲାଇନମ୍ୟାନଙ୍କ ଛଟେଇ ପ୍ରକ୍ରିୟା ସ୍ଥଗିତ ରଖିବା ଏବଂ ଡିଭିଜନର ସମଗ୍ର ଭିତ୍ତିଭୂମି ତଥା ଉପଭୋକ୍ତା ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ କରିବାକୁ ଦୃଢ଼ ଦାବି କରାଯାଇଛି। ଏହି ସ୍ମାରକପତ୍ରର ଏକ କିତା ନକଲ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଏବଂ ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ ସମସ୍ୟାର ସମାଧାନ ନ କଲେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ ଦାୟର କରାଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇ ଜଣାଇଛନ୍ତି।

ad-week
Leave A Reply

Your email address will not be published.