ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭’ ପାଇଁ ପ୍ରସ୍ତୁତି ବୈଠକ,ନଭେମ୍ବର ୬ରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା, ୭ରେ ଶ୍ରେଷ୍ଠ ୫୦ଟି ପ୍ରବନ୍ଧର ପିପିଟି ଚାମ୍ପିୟନସିପ୍

puja26

ଛତ୍ରପୁର, ୨୨/୧୦: ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭’ ଅବସରରେ ଜିଲ୍ଲାସ୍ତରୀୟ ଯୁବ ପ୍ରତିଭା ଚୟନ ଓ ପ୍ରତିଯୋଗିତାଗୁଡ଼ିକୁ ସୁଚାରୁରୂପେ ଆୟୋଜନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ଆସନ୍ତା ନଭେମ୍ବର ୬ ତାରିଖରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏବଂ ନଭେମ୍ବର ୭ ତାରିଖରେ ମନୋନୀତ ଶ୍ରେଷ୍ଠ ୫୦ଟି ପ୍ରବନ୍ଧ ପାଇଁ ପିପିଟି (PPT) ଚାମ୍ପିୟନସିପ୍ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନ, ଲୋକନୃତ୍ୟ, ଲୋକଗୀତ, ନୁକ୍କଡ଼ ନାଟକ ଓ କବିତା ଲିଖନ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ୧୫ରୁ ୨୯ ବର୍ଷ ବୟସସୀମା ମଧ୍ୟରେ ଥିବା ଯୁବକଯୁବତୀମାନେ ଭାଗ ନେଇପାରିବେ। ପ୍ରତିଯୋଗୀମାନେ ‘ମାଇଁ ଭାରତ’ (MY BHARAT) ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରି ପରିଚୟପତ୍ର ହାସଲ କରିବା ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ପ୍ରତିଯୋଗୀ କେବଳ ଗୋଟିଏ ବିଭାଗରେ ହିଁ ଅଂଶଗ୍ରହଣ କରିପାରିବେ। ଏଥିସହ ପୂର୍ବବର୍ଷର ସାଂସ୍କୃତିକ ବିଭାଗରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଚଳିତ ବର୍ଷ ପୁନର୍ବାର ସେହି ବିଭାଗରେ ଅଂଶଗ୍ରହଣ କରିପାରିବେ ନାହିଁ। ଆଗ୍ରହୀ ପ୍ରତିଯୋଗୀଙ୍କ ତାଲିକା ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଦାଖଲ କରିବାକୁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଛି।

ଏହି ସମସ୍ତ ପ୍ରତିଯୋଗିତାର ସୁପରିଚାଳନା ନିମନ୍ତେ ଯୋଗ୍ୟ ବିଚାରକ ଚୟନ, ଆଇନଶୃଙ୍ଖଳା ରକ୍ଷା, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଜରୁରୀକାଳୀନ ଚିକିତ୍ସା ସେବା, ଅଗ୍ନିଶମ ବ୍ୟବସ୍ଥା ଏବଂ ଆବଶ୍ୟକ କର୍ମଚାରୀ ନିୟୋଜନ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରୁ ଅଧିକ ସଂଖ୍ୟକ ଯୁବପ୍ରତିଭାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବ୍ଲକ୍ ମୁଖ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରି ସୁବିଧାଜନକ ଯାତାୟାତ ବ୍ୟବସ୍ଥା କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ବ୍ରହ୍ମପୁର ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ନାରାୟଣ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶାନମୁ ଧନଞ୍ଜୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

— ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ

ad-week
Leave A Reply

Your email address will not be published.