
ଭୁବନେଶ୍ବର: ହାଇଆଲର୍ଟରେ ଦକ୍ଷିଣ ଓଡ଼ିଶା । ୨୮ ତାରିଖ ପାଇଁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ । ଯଦିଓ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନାହିଁ । ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ଅଣ୍ଟା ଭିଡିଛି । ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ବୈଠକ କରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ସମୁଦ୍ର ଭିତରକୁ ନ ଯିବାପାଇଁ ଧୀବର ମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀ ଓ କଣ୍ଟ୍ରୋଲ ରୁମ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅନ୍ୟପଟେ ପୂର୍ବରୁ ଅଚଳ ଥିବା ଗୋପାଳପୁର ସ୍ଥିତ ଡପଲର ରାଡାର ଏଵେ ସଚଳ ହୋଇ କାର୍ଯ୍ୟ କରୁଛି । ଯାହା ଫଳରେ ଗୋପାଳପୁରର ୨୫୦ କିଲୋମିଟର ପରିଧି ମଧ୍ୟରେ ପାଣିପାଗ ଜନିତ ଆଗୁଆ ସୂଚନା ମିଳିପାରିବ।
