
କଟକ : ରେଳ ଧାରଣାରୁ ଏଏସଆଇଙ୍କ ମୃତଦେହ ଠାବ। କଟକ ଲିଙ୍କ୍ ରୋଡ଼ କାଠଯୋଡ଼ି ଷ୍ଟେସନ୍ ନିକଟ ରେଳ ଧାରଣାରୁ ପୋଲିସ ଏଏସଆଇଙ୍କ ମୃତଦେହ ମିଳିଛି । ମୃତକ ହେଲେ ଜିତେନ୍ଦ୍ର ସମାନ୍ତରାୟ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।
ତେବେ କେଉଁ ପରିସ୍ଥିତିରେ ଏବଂ କିପରି ତାଙ୍କ ମୃତଦେହ ଟ୍ରେନ ଟ୍ରାକକୁ ଆସିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହା ଏକ ଦୁର୍ଘଟଣା, ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ଜିଆରପି ଓ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଆବଶ୍ୟକୀୟ ନମୁନା ସଂଗ୍ରହ କରିବା ସହ ତାଙ୍କ ପରିବାର ଲୋକ ଓ ସହକର୍ମୀଙ୍କୁ ପଚରାଉଚରା ଚଳାଇଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସେହିପରି କିଛି ଦିନ ତଳେ ଆଉ ଜଣେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିଥିବା ପୋଲିସ ଅଧିକାରୀ ଥିଲେ ବିୟୁଟି ମହାନ୍ତି । ଆତ୍ମହତ୍ୟା କାରଣ ଅତ୍ୟଧିକ କାମ ଚାପ ନା ଆଉ କିଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କମିଶନରେଟ୍ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି । ଏସବୁ ଭିତରେ ଆଉ ଜଣେ ପୋଲିସ ଅଧିକାରୀଙ୍କ ମୃତଦେହ ରେଳ ଟ୍ରାକରୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
