
ଇରାନ: ଇରାନକୁ ଟ୍ରମ୍ପଙ୍କ ପୁଣି ଆକ୍ରମଣ ଧମକ । ଏହି ସପ୍ତାହ ଶେଷରେ ହୋଇପାରେ ଆମେରିକାର ଏୟାରଷ୍ଟ୍ରାଇକ୍! । ଇରାନ ଉପରେ ପୁଣି ସାମରିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସହ ଇରାନ କୌଣସି ବୁଝାମଣାରେ ପହଞ୍ଚି ନପାରିଲେ ପୁଣିଥରେ ‘ଅପରେସନ୍ ଏପିକ୍ ଫ୍ୟୁରି’ ଭଳି ସାମରିକ ଅଭିଯାନ ହୋଇପାରେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ସପ୍ତାହ ଶେଷରେ ମଧ୍ୟ ଇରାନ ଉପରେ ଆମେରିକା ଆକ୍ରମଣ କରିପାରେ ବୋଲି ଆମେରିକୀୟ ରାଷ୍ଟ୍ରଦୂତ ଟମ୍ ବାରାକ୍ କହିବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଛି ।
ଗତକାଲି ଫ୍ଲୋରିଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି , ଆମେରିକା ପୁଣି ଏକ ଛୋଟ ‘ଏପିକ୍ ଫ୍ୟୁରି’ ଅଭିଯାନ କରିପାରେ କିମ୍ବା ଇରାନ ବୁଝାମଣା ପାଇଁ ରାଜି ହୋଇପାରେ । ଇରାନ ନେତୃତ୍ୱ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାଛିବା ଉଚିତ । ତୁର୍କୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଟମ୍ ବାରାକ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଜି କିମ୍ବା ଆସନ୍ତାକିଲ ଇରାନ ଉପରେ ଆମେରିକାର ଆକ୍ରମଣ ସମ୍ଭବ । କିନ୍ତୁ ଟ୍ରମ୍ପ ଏବେବି କୂଟନୈତିକ ଆଲୋଚନା ଓ ଚୁକ୍ତି ପାଇଁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ବାରାକଙ୍କ ମନ୍ତବ୍ୟ ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ ଏଭଳି କୌଣସି ଆକ୍ରମଣ ଯୋଜନା ବିଷୟରେ ଜାଣିନଥିବା କହିଛନ୍ତି । ଫେବୃଆରୀରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ବିରୋଧରେ ବଡ଼ଧରଣର ସାମରିକ ଅଭିଯାନ ଆରମ୍ଭ କରିଥିଲେ । ଏହାକୁ ‘ଅପରେସନ୍ ଏପିକ୍ ଫ୍ୟୁରି’ ନାମ ଦିଆଯାଇଥିଲା । ଏହି ଆକ୍ରମଣରେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ହୋଇଥିବା ‘ଅପରେସନ୍ ମିଡନାଇଟ୍ ହାମର୍’ ଜରିଆରେ ଇରାନର ପରମାଣୁ ସମୃଦ୍ଧୀକରଣ କ୍ଷମତାକୁ ଧ୍ୱଂସ କରାଯାଇଥିଲା ବୋଲି ଟ୍ରମ୍ପ ଦାବି କରିଛନ୍ତି ।
ଅନ୍ୟପଟେ ଆମେରିକା ଓ ଇସ୍ରାଏଲ ପୁଣି ଆକ୍ରମଣ କଲେ ଇରାନ ମଧ୍ୟ ପାଲଟା ଜବାବ ଦେବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି । ରଏଟର୍ସ ରିପୋର୍ଟ ଅନୁସାରେ, ପାରସ୍ୟ ଉପସାଗରରେ ଥିବା ସମୁଦ୍ରତଳ ଯୋଗାଯୋଗ କେବୁଲଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଇରାନ ଯୋଜନା ପ୍ରସ୍ତୁତ କରିଛି । ଏଭଳି ଆକ୍ରମଣ ହେଲେ ଆଞ୍ଚଳିକ ଇଣ୍ଟରନେଟ୍ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇପାରେ । ଇରାନ ପକ୍ଷରୁ ଆମେରିକୀୟ କର୍ମଚାରୀଙ୍କ ପ୍ରତି ବିପଦ ଆଶଙ୍କା ମଧ୍ୟରେ ଜୋର୍ଡାନ, ଲେବାନନ, କତାର ଓ ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଆମେରିକୀୟ ଦୂତାବାସଗୁଡ଼ିକର କର୍ମଚାରୀ ସଂଖ୍ୟା ହ୍ରାସ କରାଯାଉଛି । ତେବେ ଏହି ପଦକ୍ଷେପକୁ ସମ୍ଭାବ୍ୟ ନୂଆ ଆକ୍ରମଣ ସହ ଯୋଡ଼ିବାକୁ ଆମେରିକୀୟ ଅଧିକାରୀମାନେ ମନା କରିଛନ୍ତି । ନଭେମ୍ବର ୩ରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଟ୍ରମ୍ପଙ୍କ ଏହି ଚେତାବନୀ ଗୁରୁତ୍ୱ ବହନ କରୁଛି ।
