
ପ୍ୟାରିସ୍ : ଫ୍ରାନ୍ସରେ ମହଙ୍ଗା ମାଡ଼ ଏବଂ ଶିକ୍ଷା କ୍ଷେତ୍ରକୁ କମ୍ ବଜେଟ୍ ଆବଣ୍ଟନ ପ୍ରତିବାଦରେ ଶନିବାର ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନରେ ପ୍ରାୟ ୪ ଲକ୍ଷ ୧୦ ହଜାର ଲୋକ ସାମିଲ ହୋଇଥିବା ବେଳେ ରାଜଧାନୀ ପ୍ୟାରିସରେ ପ୍ରାୟ ୧ ଲକ୍ଷ ୧୦ ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି । ଲଗାତାର ବିକ୍ଷୋଭ ଯୋଗୁଁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି ।
ଫ୍ରାନ୍ସର ଗୃହମନ୍ତ୍ରୀ ଲରେଣ୍ଟ ନୁନେଜଙ୍କ ସୂଚନା ଅନୁସାରେ, ପ୍ରଦର୍ଶନ ସମୟରେ ପ୍ରାୟ ୧,୦୦୦ ଜଣଙ୍କୁ ଗିରଫ କରାଯାଇଛି । କଳା ପୋଷାକ ପିନ୍ଧିଥିବା କିଛି ଗୋଷ୍ଠୀଙ୍କ ସହ ପୋଲିସର ଗୁରୁତର ସଂଘର୍ଷ ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସାରା ଦେଶରେ ପ୍ରାୟ ୭୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।
ଫ୍ରାନ୍ସରେ ୨୦୨୭ ମେ’ ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଲଗାତାର ବିକ୍ଷୋଭ ମାକ୍ରୋନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରଦର୍ଶନକାରୀଙ୍କୁ ସହରର ପ୍ରମୁଖ ସ୍ଥାନ, ଦୋକାନ ଏବଂ ବ୍ୟବସାୟିକ ଅଞ୍ଚଳଠାରୁ ଦୂରରେ ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ହିଂସା ରୋକିବା ପାଇଁ ପ୍ୟାରିସ ସମେତ ଅନେକ ସହରର କିଛି ଅଞ୍ଚଳରେ ସୀମିତ ସମୟ ପାଇଁ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ପ୍ୟାରିସରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ପାଣିମାଡ଼ କରିଥିଲା ।
ଅନ୍ୟପକ୍ଷରେ, ଛାତ୍ର ସଂଗଠନ ଓ ଶ୍ରମିକ ୟୁନିୟନଗୁଡ଼ିକ ପ୍ରଦର୍ଶନ ଜାରି ରଖିବାକୁ ଘୋଷଣା କରିଛନ୍ତି । ସରକାର ପ୍ରସ୍ତାବିତ ବଜେଟ୍ ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ଶିକ୍ଷା ଏବଂ ଅନ୍ୟାନ୍ୟ ଜରୁରୀ ସାର୍ବଜନୀନ ସେବା ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ସେମାନେ ଦାବି କରିଛନ୍ତି ।
