ରାଷ୍ଟ୍ରୀୟ ଏକତା ଦିବସ–୨୦୨୬ରେ ଯୋଗଦେବେ ୫୦ ଜଣିଆ କୋରାପୁଟ ପ୍ରତିନିଧି ଦଳ(ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କଲେ)

puja26

କୋରାପୁଟ, ତା. ୨୭/୧୦/୨୦୨୬: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେଭାଡ଼ିଆଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟରୁ ଏକ ଦଳ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ଅକ୍ଟୋବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ରାଷ୍ଟ୍ରୀୟ ଏକତା ଦିବସ–୨୦୨୬’ ସମାରୋହରେ ଅଂଶଗ୍ରହଣ କରିବା ନିମନ୍ତେ କୋରାପୁଟ ଜିଲ୍ଲାରୁ ୫୦ ଜଣିଆ ଏକ ପ୍ରତିନିଧି ଦଳ ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ କେଭାଡ଼ିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ମିଳିତ ଭାବେ ସବୁଜ ପତାକା ପ୍ରଦର୍ଶନ କରି ପ୍ରତିନିଧି ଦଳର ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିଷେକ ପାଣିଗ୍ରାହୀ, ସେମିଳିଗୁଡ଼ାର ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ପୋଲିସ ଏବଂ ପ୍ରଶାସନିକ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟରୁ ବାହାରିଥିବା ଏହି ପ୍ରତିନିଧି ଦଳ ପ୍ରଥମେ ରାୟଗଡ଼ା ପହଞ୍ଚିବେ ଏବଂ ସେଠାରୁ ରାୟଗଡ଼ା ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ପ୍ରତିନିଧି ଦଳର ସମସ୍ତ ଯାତ୍ରାକୁ ସୁବ୍ୟବସ୍ଥିତ ତଥା ଶୃଙ୍ଖଳିତ କରିବା, ବିଭିନ୍ନ ବିଭାଗ ସହିତ ଆବଶ୍ୟକୀୟ ସମନ୍ୱୟ ରକ୍ଷା କରିବା ଏବଂ ଯାତ୍ରା ସମୟରେ ସମସ୍ତ ପ୍ରକାର ଆବଶ୍ୟକ ସହଯୋଗ ଯୋଗାଇଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଜଣ ନୋଡାଲ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ଏକତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ଏକତ୍ରୀକରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ସହିତ ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ସଂହତିର ଆଦର୍ଶକୁ ସୁଦୃଢ଼ କରିବା। ଏହି ଜାତୀୟ କାର୍ଯ୍ୟକ୍ରମରେ କୋରାପୁଟର ପ୍ରତିନିଧି ଦଳ ଅଂଶଗ୍ରହଣ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେବେ ବୋଲି ପ୍ରଶାସନ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

ad-week
Leave A Reply

Your email address will not be published.