
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ଦୁଇ ଦିନ ଧରି ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ମଧ୍ୟରେ ନଦୀ ଜଳସ୍ତର ବୃଦ୍ଧି ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) । ଅକ୍ଟୋବର ୨୮ରୁ ୨୯ ତାରିଖ ମଧ୍ୟରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, ବଂଶଧାରା, ନାଗାବଳୀ, ସାବେରୀ, ଋଷିକୁଲ୍ୟା, ଦୟା ଓ ଭାର୍ଗବୀ ନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବୃଦ୍ଧି ସହ ସ୍ୱାଭାବିକଠାରୁ ଅଧିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆୟୋଗ ଆକଳନ କରିଛି।
ଏହି ସତର୍କତା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ଅନେକ ଜିଲ୍ଲା ପାଇଁ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ସମେତ ୧୭ଟି ଜିଲ୍ଲା ପାଇଁ ଆକସ୍ମିକ ବନ୍ୟା ସମ୍ପର୍କିତ ସତର୍କତା ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜଳ ନିଷ୍କାସନ ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ସ୍ଥିତି ଉପରେ ନିୟମିତ ନଜର ରଖିବାକୁ କୁହାଯାଇଛି।
ଆୟୋଗର ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ସୋରଡ଼ା ଓ ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ସେହିପରି ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ଠାରେ ବଡ଼ଝୋର ଓ ମୋହନାଠାରେ ହରଭଙ୍ଗୀ ନଦୀର ଜଳସ୍ତର ବଢ଼ୁଥିବାବେଳେ କୋରାପୁଟ ଜିଲ୍ଲାର ସିରିମୋଡ଼ାଠାରେ କଳାବ ନଦୀର ଜଳସ୍ତର ମଧ୍ୟ ଊର୍ଦ୍ଧ୍ୱମୁଖୀ ରହିଛି।
ଏହାସହ ବାଲିମେଳା, ଜଳାପୁଟ, ଅପର ଇନ୍ଦ୍ରାବତୀ, କୋଲାବ ଓ ରେଙ୍ଗାଳି ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଜଳ ପରିଚାଳନା କରିବାକୁ ଆୟୋଗ ପରାମର୍ଶ ଦେଇଛି, ଯାହାଦ୍ୱାରା ତଳମୁଣ୍ଡରେ ବନ୍ୟା ଓ ଉପରମୁଣ୍ଡରେ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ।
