
ମାର୍ଶାଘାଇ: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁରେ ସ୍ଥାନୀୟ ପୁଲିସ ଜଣେ ହତ୍ୟା ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲାବେଳେ ଉତ୍ତେଜନା ଦେଖାଦେଇଛି । ଏମିତିକି ଅଭିଯୁକ୍ତକୁ ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଅଡି ବସିବା ଯୋଗୁ ପୁଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୩୦ ତାରିଖ ରାତିରେ ସ୍ଥାନୀୟ ବନ୍ଧସାହି ଗାଁର କଲେଜ ଛାତ୍ରୀଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରାଯାଇଥିଲା । ପରିବାରର ଅଭିଯୋଗ ଆଧାରରେ ପୋଲିସ ଅରଜିତ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ତେବେ ସୋମବାର ସିନ୍ ରିକ୍ରିଏସନ୍ ପାଇଁ ଅଭିଯୁକ୍ତ ଅରଜିତକୁ ସାଙ୍ଗରେ ନେଇ ପୋଲିସ ଗାଁ ରେ ପହଞ୍ଚିବା ପରେ ହଠାତ ଗାଁ ଲୋକେ ଉତ୍ୟକ୍ତ ହୋଇ ପଡିଥିଲେ । ଅଭିଯୁକ୍ତକୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଶହ ଶହ ଗ୍ରାମବାସୀ ଅଡି ବସିଥିଲେ । ଉତ୍ତେଜନା ବଢିବାରୁ ପୋଲିସ ଅଭିଯୁକ୍ତକୁ ନେଇ ପଳାଇଥିଲା । କିନ୍ତୁ ଅଭିଯୁକ୍ତକୁ ଫେରାଇ ଆଣିବା ଦାବିରେ ପୋଲିସକୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ଜିପ୍କୁ ଘେରିଯାଇ ନାରାବାଜି କରିବା ସହ ମାର୍ଶାଘାଇ ଆଇଆଇସି ତପନ ନାୟକ ଓ କିଛି ପୋଲିସ କର୍ମଚାରୀଙ୍କୁ ଘଣ୍ଟାଏ କାଳ ଅଟକ ରଖିଥିଲେ । ବୁଝାସୁଝା ପରେ ଉତ୍ତେଜନା ହ୍ରାସ ପାଇଥିଲା ।
