ସମୁଦ୍ର ଲୁଟେରାଙ୍କ କବଳରୁ ୨୦ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତୀୟ ନୌସେନା

puja26

ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନାର ବଡ଼ ସଫଳତା । ସମୁଦ୍ର ମଧ୍ୟରେ ଲୁଟେରାଙ୍କ କବଳରେ ଫସିଥିବା ମାଛଧରା ଜାହାଜ ‘ଅଜିନି’ର ସମସ୍ତ ୨୦ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା । ମୁମ୍ବାଇଠାରୁ ୩ ହଜାର କିଲୋମିଟରରୁ ଅଧିକ ଦୂରରେ ଏହି ଉଦ୍ଧାର ଅଭିଯାନ ଚାଲିଥିଲା । ଏହି ଅପରେସନ୍ ପୂରା କରିବାକୁ ନୌସେନାକୁ ୪୮ ଘଣ୍ଟା ସମୟ ଲାଗିଥିଲା ।

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଆମର ଯବାନମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ସମୁଦ୍ରରେ ବିପଦରେ ପଡ଼ିଥିବା ଲୋକଙ୍କ ଜୀବନ ରକ୍ଷା ଓ ସୁରକ୍ଷା ଯୋଗାଇବାରେ ଭାରତ ସକ୍ଷମ । ସମଗ୍ର ଭାରତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ସେ ଦୋହରାଇଛନ୍ତି । ଏଥିସହ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ଅନୁସାରେ, ସୋମାଲିଆର ଉତ୍ତର-ପୂର୍ବ ଉପକୂଳ ନିକଟରେ ‘ଅଜିନି’ ନାମକ ଜାହାଜକୁ ସୋମାଲିଆ ସମୁଦ୍ର ଲୁଟେରାମାନେ ଅପହରଣ କରିଥିଲେ । ଗୁରୁବାର ଦିନ ବନ୍ଦର ବାଇଲା ଏବଂ ହାଫୁନ୍ ଉପକୂଳବର୍ତ୍ତୀ ସହର ମଧ୍ୟରେ ଏହି ଜାହାଜକୁ ଅପହରଣ କରାଯାଇଥିଲା । ପ୍ରାୟ ୧୨ ଜଣ ଲୁଟେରା ଜାହାଜକୁ କବ୍ଜା କରିଥିବା ଅଧିକାରୀମାନେ କହିଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ଅପହରଣ ସମୟରେ ଜାହାଜରେ ଇରାନୀୟ କ୍ରୁ ସଦସ୍ୟ ରହିଥିଲେ । ଅନ୍ୟପଟେ, ଆଦେନ୍ ଉପସାଗର ଏବଂ ପଶ୍ଚିମ ଭାରତ ମହାସାଗରରେ ପୁଣି ଥରେ ସୋମାଲିଆ ସମୁଦ୍ର ଲୁଟେରାଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ସେମାନେ ଅନେକ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରିଛନ୍ତି ।

ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ସମୁଦ୍ର ଲୁଟେରାମାନେ ୬ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରିଥିଲେ । ଏଥିମଧ୍ୟରୁ କିଛି ଜାହାଜକୁ ସୋମାଲିଆ ଉପକୂଳଠାରୁ ବହୁ ଦୂରରେ ଅପହରଣ କରାଯାଇଥିଲା । ଏହି ଜାହାଜଗୁଡ଼ିକ ମଧ୍ୟରେ ‘ସିବୁ-୧’ ନାମକ ଏକ ତୈଳ ଟ୍ୟାଙ୍କର ମଧ୍ୟ ସାମିଲ ଥିଲା । ଏହାକୁ ୟେମେନର ଅଲ୍-ମୁକଲ୍ଲା ସହରଠାରୁ ପ୍ରାୟ ୨୫୨ କିଲୋମିଟର ପୂର୍ବରେ ଅପହରଣ କରାଯାଇଥିଲା । ଭାରତୀୟ ନୌସେନାର ଏହି ସଫଳ ଅପରେସନ୍ ସମୁଦ୍ର ପଥରେ ଭାରତର ସୁରକ୍ଷା କ୍ଷମତା ଓ ମାନବିକତାର ଆଉ ଏକ ଉଦାହରଣ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.