
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଦ୍ରୁତଗାମୀ ଇନୋଭା କାର୍ ଅନିୟନ୍ତ୍ରିତ ହୋଇ ଗଙ୍ଗା ନଦୀକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଯାତ୍ରୀ ନିଖୋଜ ରହିଛନ୍ତି ।
ସୂଚନା ଅନୁସାରେ, ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟ ଡବରାଣୀ ଆଡ଼କୁ ଯାଉଥିବା ଏକ ଇନୋଭା କାର୍ ହଠାତ୍ ଭାରସାମ୍ୟ ହରାଇ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଖସିପଡ଼ିଥିଲା । ଖବର ପାଇ ଏସଡିଆରଏଫ୍, ସ୍ଥାନୀୟ ପୋଲିସ ଓ ୧୦୮ ଜରୁରୀକାଳୀନ ସେବା ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦଳ ନଦୀ କୂଳରୁ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟ ନିଖୋଜ ଯାତ୍ରୀଙ୍କୁ ଖୋଜିବା ପାଇଁ ପୋଲିସ ତଲାସୀ ଅଭିଯାନ ଜାରି ରଖିଛି ।
ଉତ୍ତରକାଶୀ ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟଙ୍କ ନିର୍ଦ୍ଦେଶରେ ପ୍ରଶାସନ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଓ ମେଡିକାଲ ଟିମକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଦୁର୍ଘଟଣାର କାରଣ ଖୋଜିବା ସହ ଗାଡ଼ିର ନମ୍ବର ଆଧାରରେ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି ।
