
ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଓ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାପାନର ଟୋଟୋରି ପ୍ରିଫେକ୍ଚରର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର “ଓ-ହବ୍-ଷ୍ଟାର୍ଟଅପ୍ ଓଡ଼ିଶା” ପରିଦର୍ଶନ କରିଛନ୍ତି । ଏହି ଗସ୍ତ ଅବସରରେ ଆନ୍ତର୍ଜାତିକ ବ୍ୟବସାୟିକ ସହଭାଗିତା, ଆନୁଷ୍ଠାନିକ ସହଯୋଗ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ (ONESTRUCTION Inc.) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଗତ ଜୁଲାଇ ୩୦ ତାରିଖରେ ଟୋଟୋରି ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ସମୟରେ ହୋଇଥିବା ପ୍ରାରମ୍ଭିକ ଆଲୋଚନା ଏବଂ ପରବର୍ତ୍ତୀ ଯୋଗାଯୋଗର ସଫଳ ପରିଣତି ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଷ୍ଟାର୍ଟଅପ୍ ସହଯୋଗ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି।
ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ବ୍ୟବସାୟିକ ସୁଯୋଗର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଛନ୍ତି ଯେ ଷ୍ଟାର୍ଟଅପର ବିକାଶ ଦିଗରେ ଏହା ଏକ ମାଇଲଖୁଣ୍ଟ । ଓଡ଼ିଶାର ଷ୍ଟାର୍ଟଅପ୍ ଓ ଉଦ୍ୟୋଗ କ୍ଷେତ୍ରକୁ ବିଶ୍ୱସ୍ତରୀୟ ସୁଯୋଗ ସହ ଯୋଡ଼ିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଏମ୍ଏସ୍ଏମ୍ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା ରାଜ୍ୟର ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହନ ଦେବା ଓ ଆନ୍ତର୍ଜାତିକ ସହଭାଗିତା ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ଜାପାନର ପ୍ରତିନିଧି ଦଳରେ ଟୋଟୋରି ପ୍ରିଫେକ୍ଚରାଲ୍ ସରକାରଙ୍କ ବାଣିଜ୍ୟ, ଶିଳ୍ପ ଓ ଶ୍ରମ ବିଭାଗର ମହାନିର୍ଦ୍ଦେଶକ ତୋରୁ ସାସାକି, ସାନ୍-ଇନ୍ ଗୋଡୋ ବ୍ୟାଙ୍କର ନିର୍ଦ୍ଦେଶିକା ୟୋସିଓକା ଏବଂ ଟୋଟୋରି ପ୍ରିଫେକ୍ଚରାଲ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଅର୍ଗାନାଇଜେସନ୍ର ସଭାପତି କାଜୁହିକୋ ଇକେଦାଙ୍କ ସମେତ ଜାପାନର ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ସାମିଲ ହୋଇଥିଲେ।
ଜାପାନର ପ୍ରତିନିଧିମାନେ ସେମାନଙ୍କ ଅଭିଭାଷଣରେ, କୃଷି, ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା, ଉତ୍ପାଦନ, ସ୍ଥାୟୀ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ, ବଜାର ସୁଯୋଗ ଓ ବ୍ୟବସାୟିକ ସହଭାଗିତା ଉପରେ ଆଶା ପ୍ରକଟ କରିଥିଲେ । ପ୍ରତିନିଧିମାନେ ଷ୍ଟାର୍ଟଅପ୍ ଶୋକେସ୍ ଷ୍ଟଲ୍ ପରିଦର୍ଶନ କରି ଓଡ଼ିଶାର ନବସୃଜନାତ୍ମକ ଉତ୍ପାଦ, ନୂତନ ଜ୍ଞାନକୌଶଳ ଓ ଉଦ୍ୟୋଗୀମାନଙ୍କ ଅଭିନବ ପ୍ରୟାସ ସମ୍ପର୍କରେ ଅବଗତ ହୋଇଥିଲେ।
ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାପାନ ପ୍ରତିନିଧି ଦଳର ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ।ଓଡ଼ିଶାର ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥା ସେମାନଙ୍କର ଅଭିନବ ଉଦ୍ୟୋଗ, ଉତ୍ପାଦ ଓ ସମାଧାନମୂଳକ ପ୍ରଯୁକ୍ତି ଜାପାନୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଓଡ଼ିଶାର ଷ୍ଟାର୍ଟଅପ୍ ଓ ଟୋଟୋରିର କମ୍ପାନୀଗୁଡ଼ିକ ମଧ୍ୟରେ ‘ବି-ଟୁ-ବି’ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମ ଓଡ଼ିଶାର ଆନ୍ତର୍ଜାତିକ ଷ୍ଟାର୍ଟଅପ୍ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗର ସୁଯୋଗକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସହଭାଗିତା ମାଧ୍ୟମରେ, ଷ୍ଟାର୍ଟଅପ୍ ଓଡ଼ିଶା ରାଜ୍ୟର ଉଦୀୟମାନ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଓ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
