ବନ୍ୟାକ୍ଷତିଗ୍ରସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଫି’ ଛାଡ଼ ସହ ଆର୍ଥିକ ସହାୟତା ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବହୁ ଅଞ୍ଚଳରେ ଜନଜୀବନ ସହ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ବିଦ୍ୟାଳୟର ଶିକ୍ଷା ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ସହ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ, ଖାତା ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ନଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ଅନେକ ଗରିବ ଓ ମଧ୍ୟବିତ୍ତ ପରିବାରର ଅଭିଭାବକ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବନ୍ୟାକ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଯୋଗ୍ୟ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଚଳିତ ଶିକ୍ଷାବର୍ଷର ପରୀକ୍ଷା ଫର୍ମ ପୂରଣ ଫି’ ସମ୍ପୂର୍ଣ୍ଣ ଛାଡ଼ ସହ ସେମାନଙ୍କ ଅଭିଭାବକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା,ଫର୍ମ ପୂରଣର ସମୟସୀମା ବୃଦ୍ଧି ଏବଂ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ଯୋଗାଇବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି। ଏଥିସହ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ଓ ପୁନରୁଦ୍ଧାର, ପାଠପଢ଼ାରେ ପଛେଇ ଯାଇଥିବା ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅତିରିକ୍ତ ଶିକ୍ଷାଦାନ ପାଇଁ ମଞ୍ଚ ଦାବି ଜଣାଇଛି।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ଏବଂ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ନ ହୁଏ, ସେଥିପାଇଁ ରାଜ୍ୟ ସରକାର ତୁରନ୍ତ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜିର ବିକ୍ଷୋଭରେ ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା,ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ସମ୍ପାଦକ ମନୋଜ କୁମାର ତରାଇ,ଉପଦେଷ୍ଟା ସାଲା. କେଶବ ଲିଙ୍ଗମ୍,ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ହୃଷିକେଶ ପାତ୍ର,କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ଆପ୍ ନେତା ଆଦିତ୍ୟ ନାରାୟଣ ରଥ,ସମାଜସେବୀ ସରିତା ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ମନୋରଂଜନ ସାହୁ,ଯୁବ ସାମ୍ୱାଦିକ ଗୋପାଳ ରେଡ୍ଡୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
