
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ନେଇପାରେ ଅବପାତର ରୂପ। ଆସନ୍ତା ୧୭ ତାରିଖରୁ ରାଜ୍ୟରେ ହୋଇପାରେ ବର୍ଷା। ତେବେ ବାତ୍ୟା ହେବା ନେଇ ମିଳନି ସ୍ପଷ୍ଟ ସୂଚନା। ଅନ୍ୟପଟେ କିନ୍ତୁ ବିଭିନ୍ନ ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି। ଆସନ୍ତା ୧୯ କିମ୍ବା ୨୦ ତାରିଖ ବେଳକୁ ସ୍ଥଲଭାଗ ପାଖାପାଖି ହୋଇପାରେ। ହେଲେ ଏହାର ଗତିପଥ ଓ ପ୍ରଭାବ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇଛି।
ଇଉରୋପୀୟ ମଡେଲ କହୁଛି, ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼େ ମୁହାଁଇପାରେ। ଆଉ ଦୁଇଟି ମଡେଲ ଦର୍ଶାଉଛି, ବାଙ୍ଗଲାଦେଶ କିମ୍ବା ମ୍ୟାଁମାର ଦିଗକୁ ମୋଡ଼ି ଯାଇପାରେ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ୧୩ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବ। ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ। ବିସ୍ତାରିତ ପୂର୍ବାନୁମାନରେ ଆଇଏମଡି ଦର୍ଶାଇଛି ଯେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ ମଧ୍ୟରେ ଏକମତ ରହିଛି। ମାତ୍ର ସମ୍ଭାବ୍ୟ ଗତିପଥ ଓ ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍)ନେଇ ବିଭିନ୍ନ ମଡେଲ୍ ମଧ୍ୟରେ ଭିନ୍ନ ମତ ରହିଛି।
ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶଖିଲା ରହିପାରେ। ମାତ୍ର କେତେକ ବିଶେଷଜ୍ଞଙ୍କ ମତରେ ୧୭-୧୮ ତାରିଖ ବେଳକୁ ଓଡ଼ିଶାରେ ପାଗ ବଦଳିପାରେ। ଅନ୍ୟପଟେ ସମୁଦ୍ର ଅଶାନ୍ତ ହେବା ଆଶଙ୍କାରେ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ନଭେମ୍ବର ୧୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ନଯିବା ପାଇଁ ସତର୍କ କରାଯାଇଛି।
