
ବଲାଙ୍ଗୀର: ‘ସଭିଁଙ୍କ ମୁଣ୍ଡରେ ପକ୍କା ଛାତ ଆମ ପ୍ରାଥମିକତା’ ଗାଁରେ ହେଲେ ପକ୍କା ଘର, ଦ୍ରୁତ ଗତିରେ ଆଗକୁ ବଢିବ ରାଜ୍ୟ । ବିକଶିତ ଓଡିଶାର ଆରମ୍ଭ ଗାଁରୁ ହୁଏ । ତେଣୁ ସଭିଁଙ୍କ ମୁଣ୍ଡ ଉପରେ ପକ୍କା ଛାତ ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତା ବୋଲି ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ଦୁର୍ଗମ , ପାହାଡିଆ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଂଚଳରେ ଲୋକଙ୍କ ସୁରକ୍ଷା ପାଇଂ ସରକାର ପ୍ରତିବଦ୍ଧ । ୨୦୧୪-୧୫ରେ ବିଭିନ୍ନ ଗ୍ରାମୀଣ ଆବାସ େ ଯାଜନା ଅଧୀନରେ ୪୧ଲ କ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହୋଇଥିବା ବେଳେ ବିଗତ ୨ ବର୍ଷରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ହୋଇଛି । କେନ୍ଦ୍ର ସରକାର ୪ ଲକ୍ଷ ଘର ପୂର୍ବରୁ ମଞ୍ଜୁର କରିଥିବା ବେଳେ ବର୍ତ୍ତମାନ ଆଉ ଏକ ଲକ୍ଷ ଘର ମଞ୍ଜୁର କରିଥିବା ଯୋଗୁ ଏହି ଯୋଜନାରେ ରାଜ୍ୟର ୫ ଲକ୍ଷ ଘର ମଞ୍ଜୁର ହୋଇଛି। ଏହି ଯୋଜନାରେ ଘର ସହିତ ଶୌଚାଳୟ, ପାଇପ୍ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।
ବଲାଙ୍ଗୀର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ। ସେ ଅତିଥି ନୁହଁନ୍ତି ବରଂ ମନ୍ତ୍ରୀ ରୂପରେ ଜଣେ ସେବକ ଭାବେ ଆସିଛନ୍ତି ବୋଲି କହିଛନ୍ତି ଶିବରାଜ । ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇବାକୁ ପଡ଼ିବ ଏବଂ ଆଗାମୀ ଦିନରେ ବଲାଙ୍ଗୀରର ନୂତନ କୃଷି ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯେଉଁ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଓଡ଼ିଶାରେ ତାହା ବଲାଙ୍ଗୀର ମାଟିରୁ ତାହା ଆରମ୍ଭ କରାଯିବ ବୋଲି କହିଛନ୍ତି ଶିବରାଜ । ବିନା କୌଣସି ତ୍ରୁଟିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପହଞ୍ଚାଯିବ ବୋଲି ସେ କହିଥିଲେ। ହେଲିକପ୍ଟରରୁ ବଲାଙ୍ଗୀର ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟରେ ୨୯ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ମା’ ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାୟ ୯୧୧ କୋଟି ଟଙ୍କାର ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯେଉଁଥିରେ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୭୩୫ କୋଟି ଟଙ୍କା ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ହଷ୍ଟେଲ୍ ଆଦି ଏହି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀରର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଏହି କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ରୂପା ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲ୍ୱର ପ୍ରମୁଖ ଉପସ୍ଥିତ ଥିଲେ।
