
ସମ୍ବଲପୁର: ହସଖୁସିର ଯାତ୍ରା ପାଲଟିଗଲା ଜୀବନର ଶେଷ ଯାତ୍ରା । ଶ୍ୱଶୁର ଘର ଗାଁରୁ ଯାତ୍ରା ଦେଖି ହସି ହସି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ କିଏ ଜାଣିଥିଲା, ଅଧା ବାଟରେ ଜମଦୂତ ସାଜି ଜଗି ରହିଛି ମୃତ୍ୟୁ । ଦ୍ରୁତଗାମୀ ଟ୍ରାକ୍ଟର ଓ ହାର୍ଭେଷ୍ଟର ମେସିନ୍ ଧକ୍କାରେ ଆଖି ବୁଜିଛନ୍ତି ଦମ୍ପତି । ଆଉ ଦୁର୍ଘଟଣାର ଗୋଟିଏ ଝଟକା, ଦୁଇ ନିଷ୍ପାପ ପୁଅଙ୍କ ମୁଣ୍ଡ ଉପରୁ ସବୁଦିନ ପାଇଁ ଛଡ଼ାଇ ନେଇଛି ବାପା-ମାଆଙ୍କ ହାତ । ସମ୍ବଲପୁର ଶାସନ ବାଇପାସରେ ଘଟିଛି ଏଭଳି କିଛି ଛାତିଥରା ସଡ଼କ ଦୁର୍ଘଟଣା ।
ଘଟଣା ଯେତିକି ଛାତିଥରା, ତା’ଠୁ ଅଧିକ ହୃଦୟବିଦାରକ ଏହି ପରିବାରର ଦୁଃଖ । ମୃତକ ହେଉଛନ୍ତି ସମ୍ବଲପୁର ଧନୁପାଲି ଥାନା ସାକ୍ଷୀପଡ଼ାର ରମେଶ ବଗର୍ତ୍ତୀ ଓ ତାଙ୍କ ପତ୍ନୀ ସବିତା ବଗର୍ତ୍ତୀ । ଶୁକ୍ରବାର ସନ୍ଧ୍ୟାରେ ଉଭୟ ସ୍କୁଟିରେ ଯାଇଥିଲେ ଶ୍ୱଶୁର ଘର ରାଣୀଖିଣ୍ଡା । ସେଠାରେ ଚାଲିଥିବା ଯାତ୍ରା ଦେଖିଥିଲେ । ମନ ଭରି ଯାତ୍ରା ଦେଖିବା ପରେ ଫେରୁଥିଲେ ନିଜ ଘର ସାକ୍ଷୀପଡ଼ାକୁ । ଠିକ୍ ଏହି ସମୟରେ ପଛପଟୁ ଏକ ହାର୍ଭେଷ୍ଟର ମେସିନ୍ ନେଇ ଆସୁଥିବା ଟ୍ରାକ୍ଟର, ଦମ୍ପତିଙ୍କ ସ୍କୁଟିକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା ।
ଓଭରଟେକ୍ ସମୟରେ ଟ୍ରାକ୍ଟର ପଛରେ ଲାଗିଥିବା ବିରାଟ ହାର୍ଭେଷ୍ଟର ମେସିନ୍ ସିଧାସଳଖ ସ୍କୁଟିକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ସ୍ୱାମୀ-ସ୍ତ୍ରୀ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା ।
ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ପୁଲିସ ଟ୍ରାକ୍ଟର ଓ ହାର୍ଭେଷ୍ଟର ମେସିନ୍ ଜବତ କରିଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଓ ପରିସ୍ଥିତି ନେଇ ତଦନ୍ତ ଜାରି ରହିଛି । ଶନିବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ପୁଲିସ ସୂଚନା ଦେଇଛି ।
ଏହି ଦୁର୍ଘଟଣା କେବଳ ଦୁଇଟି ଜୀବନ ନେଇନାହିଁ, ବରଂ ଗୋଟିଏ ହସଖୁସିର ସଂସାରକୁ ଉଜାଡ଼ି ଦେଇଛି । ରମେଶ ଓ ସବିତାଙ୍କ ଅକାଳ ବିୟୋଗ ପରେ ଏବେ ୨୨ ବର୍ଷୀୟ ବଡ଼ ପୁଅ ଖୁସବନ୍ତ ଏବଂ ୧୫ ବର୍ଷୀୟ ସାନ ପୁଅ ଦିଲେଶ୍ୱର ସମ୍ପୂର୍ଣ୍ଣ ଅନାଥ ହୋଇପଡ଼ିଛନ୍ତି। ବାପା-ମାଆଙ୍କ ଫେରିବା ବାଟକୁ ଚାହିଁ ବସିଥିବା ଦୁଇ ପୁଅଙ୍କ ଆଖିରୁ ଏବେ ଲୁହ ଶୁଖୁନି । ଏବେ ପ୍ରଶ୍ନ, ରାସ୍ତାରେ ଏଭଳି ବିପଜ୍ଜନକ ଭାବେ କୃଷି ଯନ୍ତ୍ରପାତି ପରିବହନ ଉପରେ କେବେ ଲାଗିବ ଅଙ୍କୁଶ ? ଆଉ କେତେ ଜୀବନ ଗଲେ ଚେତିବେ ଦାୟିତ୍ୱରେ ଥିବା ଲୋକେ ?
