
ଉତ୍ତରାଖଣ୍ଡ: ଆଇଆଇଟି ରୁର୍କିରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଶୁକ୍ରବାର ୨୦ ବର୍ଷୀୟ ଛାତ୍ର ନିଜ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ୍ ଜବତ କରିଛି । ମୃତ ଛାତ୍ର ଜଣଙ୍କ ହେଲେ ଆୟୁଷ ରଜୌରିଆ । ଆଇଆଇଟିରେ ଗଣିତ ଓ କମ୍ପ୍ୟୁଟିଂ ବିଭାଗରେ ବିଏସ-ଏମଏସ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଏବଂ ଗାଜିଆବାଦର ରାଜନଗର ଏକ୍ସଟେନସନ ଅଂଚଳର ବାସିନ୍ଦା ଥିଲେ । ଆୟୁଷଙ୍କ ଏକାଡେମିକ କ୍ୟାରିଅର ଖୁବ୍ ଭଲ ଥିଲା । ପ୍ରଥମ ସେମିଷ୍ଟାରରେ ଭଲ ମାର୍କ ରଖିଥିବା ବେଳେ ଦ୍ୱିତୀୟରେ କିଛି ମାର୍କ କମିଥିଲା । ପୋଲିସ ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରିରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଆଇଆଇଟି ରୁର୍କିର ସୁରକ୍ଷା ଅଧିକାରୀ କୁଲଦୀପ ସିଂହ ନେଗି, କୋତବାଲି ରୁର୍କି ପୋଲିସକୁ ଜଣାଇଥିଲେ ଯେ, ଗୋବିନ୍ଦ ଭବନ ହଷ୍ଟେଲର ଦ୍ୱିତୀୟ ମହଲାରେ ଥିବା ବିଏସ ୧୦ ନମ୍ବର ରୁମରେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଷ୍ଟେସନ ହାଉସ ଅଫିସର ପ୍ରଦୀପ ବିଷ୍ଟ ଏକ ପୋଲିସ ଦଳ ଓ ଫିଲ୍ଡ ୟୁନିଟ ସହ ଘଟଣାସ୍ଥଳରେ ପହଂଚିଥିଲେ । କବାଟ ଖୋଲି ନପାରିବାରୁ ସୁରକ୍ଷା କର୍ମୀଙ୍କ ସହାୟତାରେ ଏହାକୁ ଭାଙ୍ଗି ଖୋଲା ଯାଇଥିଲା । ଛାତ୍ରଙ୍କ ମୃତଦେହ ଏକ ଚାଦର ସାହାର୍ଯ୍ୟରେ ଛାତ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା ପୋଲିସ । ପରିବାରଲୋକହ୍କୁ ଖବର ଦେବା ପରେ ସେମାନ କ୍ୟାମ୍ପସରେ ପହଂଚିଥିଲେ ।
ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ରୁର୍କି ସ୍ଥିତ ସିଭିଲ୍ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ ଛାତ୍ରଙ୍କ ଲାପଟପ୍ ମଧ୍ୟ ଯାଂଚ କରିଥିଲା । କିନ୍ତୁ ଏବେ ସୁଦ୍ଧା ସେଥିରୁ କୌଣସି ସନେ୍ଦହଜନକ ତଥ୍ୟ ମିଳିପାରିନ । ତଦନ୍ତର ଏକ ଅଂଶ ଭାବରେ ଘଟଣାସ୍ଥଳରେ ଭିଡିଓ ରେକର୍ଡିଂ କରାଯାଇଛି ବୋଲି ସେମାନେ କହିଛନ୍ତି । ତାଙ୍କ ମୃତ୍ୟୁର ପରିସ୍ଥିତି ନେଇ ତଦନ୍ତ ଚାଲିଛି । ଆଇଆଇଟି ରୁର୍କି ଛାତ୍ରଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି । ଅନୁଷ୍ଠାନର ମିଡିଆ ସେଲ୍ ଦାୟିତ୍ୱରେ ଥିବା ସୋନିକା ଶ୍ରୀବାସ୍ତବ କହିଛନ୍ତି, ଘଟଣା ସହ ଜଡିତ ପରିସ୍ଥିତିର ତଦନ୍ତ ପୋଲିସ କରୁଛି । ଅନୁଷ୍ଠାନ ପକ୍ଷରୁ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯାଇଛି । ଏବଂ ପରିବାରକୁ ଆବଶ୍ୟକ ସମସ୍ତ ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଅନୁଷ୍ଠାନ କ୍ୟାମ୍ପସ ସମ୍ପ୍ରଦାୟ ସହ ରହିଛି ଏବଂ ଏହି ଦୁଃଖଦ ଘଟଣା ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ସହ ଶୋକସନ୍ତପ୍ତ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଏବଂ ଘଟଣା ସମ୍ପର୍କରେ କୌଣସି ପ୍ରକାରର ଅନୁମାନ ବା କଲ୍ପନାଜଳ୍ପନା ନକରିବାକୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଚଳିତ ବର୍ଷ ଏହି କ୍ୟାମ୍ପସରେ ପ୍ରାୟ ୬ଟି ଆତ୍ମହତ୍ୟାଜନୀତ ମୃତ୍ୟୁ ଘଟଣା ଘଟିଥିବା ସୂଚନା ମିଲିଛି ।
