ଭତ୍ତା ପାଇଁ ବ୍ଲକ୍ ଅଫିସ୍ ଘେରିଲେ ହିତାଧିକାରୀ

kalipuja

ଉଦଳା : ପୁଣି ଭତ୍ତା ଯନ୍ତ୍ରଣାକୁ ନେଇ ଗର୍ଜିଲେ ହିତାଧିକାରୀ । ମୟୂରଭଞ୍ଜ ଖୁଣ୍ଟା ବ୍ଲକ ଓ ଗୋପବନ୍ଧୁନଗର ବ୍ଲକ ଅଂଚଳରେ ବିଭିନ୍ନ ପଞ୍ଚାୟତରୁ ଭତ୍ତା ହିତାଧିକାରୀ ଆଜି ବ୍ଲକ ଅଫସରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । ବିଶେଷ କରି ବ୍ୟାଙ୍କରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ନ ମିଳିବା, ୮୦ ବର୍ଷ ରୁ ଅଧିକ ବୟସ୍କ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ନ ମିଳିବା ନେଇ ସେମାନେ ପ୍ରତିବାଦ କରିଥିଲେ । ବ୍ଲକରେ ଶତାଧିକ ହିତାଧିକାରୀ ଧାରଣାରେ ବସିଛନ୍ତି । ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଉଦଳା ୧୬।୧୧ : ସମାଧାନର ରାସ୍ତା ବାହାରୁଛି, ହେଲେ ଦିନକୁ ଦିନ ସାମ୍ନାକୁ ଆସୁଛି ଅସନ୍ତୋଷର ଚିତ୍ର। ନିଜ ହକ୍ ପାଇଁ ଶେଷରେ ରାଜରାସ୍ତାକୁ ଓହ୍ଲାଇଲେ ବୃଦ୍ଧବୃଦ୍ଧା। ଭତ୍ତା ପାଇଁ ଚାଲିଲେ କିଲୋମିଟର କିଲୋମିଟର। ବ୍ଲକ୍ କାର୍ଯ୍ୟାଳୟ ଆଗରେ କଲେ ବିକ୍ଷୋଭ। କାହାର ୪ ମାସ ହେଲା ଭତ୍ତା ବନ୍ଦ ତ ଆଉ କାହାକୁ ୮୦ ବର୍ଷ ପରେ ବି ମିଳୁନି ୩ ହଜାର ଟଙ୍କା। କିଏ ନଇଁ ନଇଁ ଚାଲୁଛି, ତ ଆଉ କିଏ ଆଶାବାଡ଼ି ଭରସାରେ ଆଗକୁ ବଢ଼ୁଛି। ଶରୀର ସାଥ୍ ଦେଉନି, ତଥାପି ନିଜ ହକ୍ ପାଇଁ ଚାଲିବାକୁ ପଡ଼ୁଛି। ଏମିତିକି ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ବାଡ଼ି ଧରି ଆଗକୁ ମାଡ଼ି ଚାଲିଛନ୍ତି। ମନରେ ଗୋଟିଏ ଆଶା, ସମସ୍ତଙ୍କ ସହ ଯାଇ ନିଜ ଦୁଃଖ ଜଣାଇଲେ ହୁଏତ ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ।

ଉଦଳା-ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଛକରୁ ପଦଯାତ୍ରାରେ ବାହାରିଛନ୍ତି ୩୦୦ରୁ ଅଧିକ ଭତ୍ତା ହିତାଧିକାରୀ। ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକର ୨୭ଟି ପଞ୍ଚାୟତର ବୃଦ୍ଧବୃଦ୍ଧା ଏକାଠି ହୋଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ କରିଛନ୍ତି ବିକ୍ଷୋଭ। ଦାବି କେବଳ ଗୋଟିଏ, ନିଜର ପ୍ରାପ୍ୟ ଭତ୍ତା ତୁରନ୍ତ ମିଳୁ। କାହାକୁ ୪ ମାସ ହେଲା ଭତ୍ତା ମିଳୁନି, ତ ଆଉ କାହାର ୮୦ ବର୍ଷ ବୟସ ପାର୍ ହୋଇଥିଲେ ମଧ୍ୟ ମିଳୁନି ୩ ହଜାର ଟଙ୍କାର ଭତ୍ତା। ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହିତାଧିକାରୀ। ତେଣୁ ପୂର୍ବଭଳି ପଞ୍ଚାୟତରେ ହାତାହାତି ଭତ୍ତା ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। ବହୁ ଆଶା ନେଇ ବ୍ଲକ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବିଡିଓଙ୍କୁ ଜଣାଇଛନ୍ତି ନିଜର ଦୁଃଖ। ଏପରିକି ଚାଲି ଚାଲି ଆସିଥିବା ବୃଦ୍ଧ ହିତାଧିକାରୀ ଧାରଣାସ୍ଥଳରେ ଥକି ପଡ଼ି ଶୋଇଯାଇଛନ୍ତି। ଆଉ କିଛି ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି।

ସେପଟେ ଭତ୍ତା ଯନ୍ତ୍ରଣାକୁ ନେଇ ଏତେ ବଡ଼ ବିକ୍ଷୋଭ ପରେ ହିତାଧିକାରୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି ଗୋପବନ୍ଧୁନଗର ବ୍ଲକ୍ ବିଡିଓ। ଭତ୍ତା ସମସ୍ୟାର ସମାଧାନ ହୋଇଥିବା କହିବା ସହ ଚଳିତ ମାସ ଶେଷ ସୁଦ୍ଧା ଏବଂ ଆସନ୍ତା ମାସ ମଧ୍ୟରେ ସମସ୍ତ ହିତାଧିକାରୀ ଭତ୍ତା ପାଇବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।

ad-week
Leave A Reply

Your email address will not be published.