୬.୬ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

kalipuja

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ । ୬.୬ ତୀବ୍ରତାର ଭୂକମ୍ପରେ ଥରିଲା ବାଣ୍ଡା ସାଗର । ନଭେମ୍ବର ୧୬ ତାରିଖରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପ ପରେ ସୁନାମିର କୌଣସି ବିପଦ ନଥିବା ସ୍ପଷ୍ଟ କରିଛି ଇଣ୍ଡୋନେସିଆର ପାଣିପାଗ ଓ ଭୂକମ୍ପ ନିରୀକ୍ଷଣ ସଂସ୍ଥା BMKG । ଅନ୍ୟପଟେ USGS ପକ୍ଷରୁ ମଧ୍ୟ ଧନଜୀବନ କ୍ଷୟକ୍ଷତିର ଆଶଙ୍କା କମ୍ ଥିବା ଆକଳନ କରାଯାଇଛି। ତେବେ କାହିଁକି ବାରମ୍ବାର ଭୂକମ୍ପରେ ଥରୁଛି ଇଣ୍ଡୋନେସିଆ?

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ୬.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ କମ୍ପିଲା ବାଣ୍ଡା ସାଗର । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା USGS ଅନୁଯାୟୀ, ଭାରତୀୟ ସମୟ ପ୍ରାୟ ରାତି ୨ଟା ୪୧ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା । ଇଣ୍ଡୋନେସିଆର ତୁଆଲ୍ ସହରଠାରୁ ପ୍ରାୟ ୧୪୮ରୁ ୧୫୧ କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ଏହାର କେନ୍ଦ୍ରସ୍ଥଳ ।

ପ୍ରାରମ୍ଭିକ ଆକଳନ ଅନୁସାରେ ଭୂକମ୍ପର ଗଭୀରତା ୩୫ କିଲୋମିଟର ଥିବାବେଳେ ପରବର୍ତ୍ତୀ ତଥ୍ୟରେ ଏହା ପ୍ରାୟ ୬୮ କିଲୋମିଟର ରେକର୍ଡ ହୋଇଛି । ତେବେ ସମୁଦ୍ର ମଧ୍ୟରେ ଏବଂ ଅଧିକ ଗଭୀରତାରେ ଭୂକମ୍ପର କେନ୍ଦ୍ର ଥିବାରୁ ଭୂପୃଷ୍ଠରେ ଏହାର ପ୍ରଭାବ ସୀମିତ ରହିଥିବା ଆକଳନ କରାଯାଇଛି । ଏପରିକି USGSର PAGER ସିଷ୍ଟମ୍ ଏହି ଭୂକମ୍ପକୁ ଗ୍ରୀନ୍ ଆଲର୍ଟ ଦେଇଛି । ଅର୍ଥାତ୍ ଏହି ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତିର ଆଶଙ୍କା ବହୁତ କମ୍ । ଶେକମ୍ୟାପ୍ ଅନୁସାରେ ସର୍ବାଧିକ କମ୍ପନର ତୀବ୍ରତା ମଡରେଟ୍ ବା ୫ ସ୍ତରରେ ରହିଥିଲା ।

ସେପଟେ ଇଣ୍ଡୋନେସିଆର ଭୂକମ୍ପ ଓ ସୁନାମି ନିରୀକ୍ଷଣ ସଂସ୍ଥା BMKG ମଧ୍ୟ ଭୂକମ୍ପକୁ ରେକର୍ଡ କରିଛି । ହେଲେ ଏହି ଭୂକମ୍ପରୁ ସୁନାମିର କୌଣସି ଆଶଙ୍କା ନଥିବା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ବଡ଼ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ନେଇ କୌଣସି ସରକାରୀ ରିପୋର୍ଟ ଆସିନାହିଁ । ତେବେ କାହିଁକି ବାରମ୍ବାର ଭୂକମ୍ପରେ ଥରୁଛି ଇଣ୍ଡୋନେସିଆ? ଏହାର ମୁଖ୍ୟ କାରଣ ହେଉଛି ଭୌଗୋଳିକ ସ୍ଥିତି । ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରୀୟ ‘ରିଙ୍ଗ୍ ଅଫ୍ ଫାୟାର୍’ ଅଞ୍ଚଳରେ ଅବସ୍ଥିତ । ଏହି ଅଞ୍ଚଳରେ ଅନେକ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହ ଧକ୍କା ହେବା ସହ ଗତିଶୀଳ ରହିଥା ନ୍ତି। ଫଳରେ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ । ବାଣ୍ଡା ସାଗର ତଳେ ଥିବା ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର ଗତିବିଧି ଯୋଗୁଁ ଏହି ଭୂକମ୍ପ ସୃଷ୍ଟି ହୋଇଛି ।

ତେବେ ଭୂକମ୍ପଟି ମଧ୍ୟବର୍ତ୍ତୀ ଗଭୀରତାରେ ହୋଇଥିବାରୁ ଭୂପୃଷ୍ଠରେ ଏହାର ପ୍ରଭାବ ଅପେକ୍ଷାକୃତ କମ୍ ରହିଛି । ବର୍ତ୍ତମାନ ବଡ଼ଧରଣର ବିପଦର ଆଶଙ୍କା ନଥିଲେ ମଧ୍ୟ ଅଞ୍ଚଳର ଭୂକମ୍ପୀୟ ସକ୍ରିୟତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷ ନଜର ରଖିଛନ୍ତି । ତେବେ ୬.୬ ତୀବ୍ରତାର ଭୂକମ୍ପ ପରେ ଏବେ ସ୍ଥିତି ଉପରେ ନଜର ରହିଛି। ସୁନାମି ଆଶଙ୍କା ନଥିବାରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଭୂକମ୍ପପ୍ରବଣ ଅଞ୍ଚଳ ହୋଇଥିବାରୁ ସତର୍କତା ଜରୁରୀ ।

ad-week
Leave A Reply

Your email address will not be published.