କେନାଲକୁ ଖସିଲା ସ୍କର୍ପିଓ, ୬ ମୃତ

kalipuja

ବିହାର : ବିହାରର ଅରରିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତାରାବାଡ଼ି ଥାନା ଅନ୍ତର୍ଗତ ବିଡ଼ି ପୋଲ ନିକଟରେ ଏକ ସ୍କର୍ପିଓ କାର୍ ନିୟନ୍ତ୍ରଣ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ କାରରେ ଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି । ୬ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ସ୍କର୍ପିଓରେ ଥିବା ସମସ୍ତ ୭ ଜଣ ସିକଟିର ଭପଟିଆଠାରେ ଆୟୋଜିତ ଏକ ତିଳକ ସମାରୋହରୁ ଫେରୁଥିଲେ । ଏହି ସମୟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ପୋଲର ରେଲିଂ ଭାଙ୍ଗି କେନାଲକୁ ଖସିପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଲୋକଙ୍କୁ ବାହାରିବାର ସୁଯୋଗ ମିଳିନଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ ସ୍କର୍ପିଓକୁ ବାହାର କରାଯାଇଥିଲା । ଗାଡ଼ି ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି ।

ମୃତକମାନେ ହେଲେ ସୁପୌଲ ଜିଲ୍ଲାର ଥୁମହା ଗାଁର ୨୮ ବର୍ଷୀୟ କୁନ୍ଦନ ଯାଦବ, ୨୨ ବର୍ଷୀୟ ମୁନ୍ନା କୁମାର, ୨୦ ବର୍ଷୀୟ ଆଦିତ୍ୟ, ୧୬ ବର୍ଷୀୟ ଯଶ କୁମାର, ୧୫ ବର୍ଷୀୟ ଆର୍ଯ୍ୟନ ଏବଂ ୧୫ ବର୍ଷୀୟ ସୌରଭ । ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣାପଡ଼ିଛି । ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯାଇଛି । ଅନ୍ୟପଟେ ଜଣେ ଆହତଙ୍କ ଚିକିତ୍ସା ଜାରି ରହିଛି ।

ad-week
Leave A Reply

Your email address will not be published.