
କଳାହାଣ୍ଡି : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ ଏୱାଇ)ରେ ଘର ନିର୍ମାଣ ପାଇଁ ବାକି ଅର୍ଥ ମଞ୍ଜୁର କରାଇଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍ ଏସିର ଏମ୍ ଆଇଏସ୍ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାସ । ଜଣେ ହିତାଧିକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ । ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କୁ ପିଏମ୍ ଏୱାଇରେ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।
ଏଥିରୁ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିବାବେଳେ ବାକି ୪୦ ହଜାର ଟଙ୍କା ମିଳିବାକୁ ଥିଲା । ଏହି ବଳକା ଅର୍ଥ ମଞ୍ଜୁର କରାଇଦେବା ପାଇଁ ପ୍ରଦ୍ୟୁମ୍ନ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ବାକି ଟଙ୍କା ମଞ୍ଜୁର ପ୍ରକ୍ରିୟା ଆଗକୁ ବଢ଼ାଇବେ ନାହିଁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।
ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଆଜି ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଅଭିଯୋଗକାରୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ପ୍ରଦ୍ୟୁମ୍ନଙ୍କୁ ଧରାଯାଇଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କାର ସମ୍ପୂର୍ଣ୍ଣ ଅର୍ଥ ଜବତ କରାଯାଇଛି ।
ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
