
ଗଜପତି: ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ । ସୀମାନ୍ତରେ ପୁଣି ଆନ୍ଧ୍ରର ଦାଦାଗିରି ଓ ଅନୁପ୍ରବେଶ ଷଡ଼ଯନ୍ତ୍ର । ଏଥର ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ମଇଦାନରେ ଓଡ଼ିଶାର ଭୋଟର । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ୬ ଜଣ ବାସିନ୍ଦା ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ପ୍ରାର୍ଥୀ ହେବା ଘଟଣାକୁ ନେଇ ସୀମାନ୍ତରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ତେବେ ଓଡ଼ିଶା ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ପରେ ୩ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ବେଳେ, ଏବେ ବି ଅନ୍ୟ ୩ ଜଣଙ୍କ ପତ୍ତା ମିଳୁନାହିଁ ।
ସେପଟେ ଏହି ଘଟଣାକୁ ନେଇ ଓଡ଼ିଶା ଗାଁରେ ପଶି ଆନ୍ଧ୍ର ପୋଲିସ ଓ ଅଧିକାରୀଙ୍କ ଯୁକ୍ତିତର୍କ ସ୍ଥିତିକୁ ଆହୁରି ସରଗରମ କରିଦେଇଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗାଁର ୬ ଜଣ ବାସିନ୍ଦା ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳ ଅଧୀନ ଶାବାକୋଟା ଓ ବୁଢ଼ାରସିଂ ପଞ୍ଚାୟତର ୱାର୍ଡମେମ୍ବର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣ ଶାବାକୋଟା ଏବଂ ଜଣେ ବୁଢ଼ାରସିଂ ପଞ୍ଚାୟତରୁ ନାମାଙ୍କନ ଭରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଥିଲା ଗଜପତି ଜିଲ୍ଲା ପ୍ରଶାସନ ।
ରାୟଗଡ଼ ବିଡିଓ ସନ୍ତୋଷ କୁମାର ବାରିକ, ତହସିଲଦାର ସୁକାନ୍ତ କୁମାର ପ୍ରଧାନ, ପାରଳାଖେମୁଣ୍ଡି ଏସ୍.ଡି.ପି.ଓ ମାଧବାନନ୍ଦ ନାୟକ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକାଙ୍କ ସମେତ ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଯୀ ଓ ସମିତି ସଭ୍ୟା ସୁମିତ୍ରା ଶବର ମାଣିକପାଟଣା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ବୁଝାସୁଝା ପରେ ଜିତୁ ଶବର, ଲକ୍ଷ୍ମୀ ଶବର ଏବଂ ସୁକୁ ଶବର ଆନ୍ଧ୍ରର ମଞ୍ଜୁଷା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି । କିନ୍ତୁ ଅନ୍ୟ ୩ ପ୍ରାର୍ଥୀ ଗୁରୁନାଥ ଶବର, ବିପ୍ର ଶବର ଓ ଶଙ୍କର ଶବର ପ୍ରଶାସନିକ ଟିମ୍ କୁ ଭେଟିନଥିବାରୁ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।
ଅନ୍ୟପଟେ, ପ୍ରାର୍ଥିପତ୍ର ପ୍ରତ୍ୟାହାର ଖବର ପାଇବା ପରେ ଆନ୍ଧ୍ରପ୍ରଦେଶର ଜଣେ ଏସ୍.ଆଇ (SI) ଏବଂ ଭି.ଆର୍.ଓ (VRO) ଓଡ଼ିଶାର ମାଣିକପାଟଣା ଗାଁରେ ପଶିଥିଲେ । ପ୍ରାର୍ଥୀମାନଙ୍କୁ କାହିଁକି ନାମାଙ୍କନ ପ୍ରତ୍ୟାହାର ପାଇଁ ଚାପ ପକାଯାଉଛି ବୋଲି ପ୍ରଶ୍ନ ଉଠାଇବା ସହ ସେଠାରେ ଯୁକ୍ତିତର୍କ କରିଥିଲେ । ଯାହାକୁ ନେଇ ଅଞ୍ଚଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା । ବର୍ତ୍ତମାନ ବାକି ଥିବା ୩ ଜଣ ପ୍ରାର୍ଥୀଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
