ସମୁଦ୍ର ଉପକୂଳରେ ସ୍ଥାପନ ହେବ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା

kalipuja

ଭୁବନେଶ୍ୱର : ଓଡ଼ିଶାର ସମୁଦ୍ର ଉପକୂଳରେ ସ୍ଥାପନ କରାଯିବ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ।  ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ସାମୁଦ୍ରିକ ସତର୍କ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି ।  ଏହି ପ୍ରକଳ୍ପ ଅଧୀନରେ ଉପକୂଳର ବିଭିନ୍ନ ସ୍ଥାନରେ କ୍ୟାମେରା ଆଧାରିତ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ ।

ଏହା ସହିତ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ବା ଇନକୋଇସର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା କରାଯିବ ।  ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥା ମାଧ୍ୟମରେ ସମୁଦ୍ର ଓ ଉପକୂଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ ।

ସାମୁଦ୍ରିକ ଝଡ଼, ସମୁଦ୍ରର ଅଶାନ୍ତ ଅବସ୍ଥା ଓ ଅନ୍ୟାନ୍ୟ ଉପକୂଳୀୟ ବିପଦ ସମ୍ପର୍କରେ ପୂର୍ବସୂଚନା ଓ ସତର୍କତା ବ୍ୟବସ୍ଥାକୁ ଏହା ସହାୟତା କରିବ ବୋଲି ଆଶା କରାଯାଉଛି ।  ବିଶେଷକରି ବାତ୍ୟା ସମୟରେ ସମୁଦ୍ର ଢେଉର ପ୍ରଭାବ, ବେଳାଭୂମିର ପରିବର୍ତ୍ତନ ଓ ଉପକୂଳ କ୍ଷୟ ସମ୍ପର୍କିତ ତଥ୍ୟ ସଂଗ୍ରହରେ ଏଭଳି ପ୍ରଯୁକ୍ତି ସହାୟକ ହୋଇପାରିବ ।  ସଂଗୃହୀତ ତଥ୍ୟ ସାମୁଦ୍ରିକ ଗବେଷଣା, ଉପକୂଳ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିରେ ଉପଯୋଗ କରାଯାଇପାରିବ ।

ଏହି ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର ଇନକୋଇସ୍ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବ ।  ତେବେ କେଉଁ କେଉଁ ବେଳାଭୂମିରେ କ୍ୟାମେରା ସ୍ଥାପନ ହେବ, ମୋଟ କେତେ କ୍ୟାମେରା ଲାଗିବ, ପ୍ରକଳ୍ପର ଖର୍ଚ୍ଚ କେତେ ହେବ ଏବଂ କେବେଠାରୁ ଏହା କାର୍ଯ୍ୟକ୍ଷମ ହେବ, ସେନେଇ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇନାହିଁ ।

ad-week
Leave A Reply

Your email address will not be published.