
ଗୌହାଟୀ: ଆସାମ ପୋଲିସର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ବିବାଦକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ନାଇଟ୍ ପାର୍ଟିରେ ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ତୀବ୍ର ବିବାଦ ହୋଇଥିବା ଜଣାପଡ଼ିଛି । ଏହି ବିବାଦ ପରବର୍ତ୍ତୀ ସମୟରେ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିବା ଅଭିଯୋଗ ହୋଇଛି । ଏପରିକି ଏଥିରେ ଜଣେ ଆଇପିଏସ୍ ଅଧିକାରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଆସାମ ପୋଲିସ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ଅନୁସାରେ, କୋକରାଝାରରେ ଆୟୋଜିତ ଏକ ନାଇଟ୍ ପାର୍ଟିରେ ଏହି ଘଟଣା ଘଟିଛି । କୋକରାଝାରର ଏସ୍ଏସ୍ପି ଅକ୍ଷତ ଗର୍ଗ ଏବଂ ଡିଆଇଜି ୱାଇ.ଟି. ଗ୍ୟାତ୍ସୋଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଉଭୟ ଅଧିକାରୀଙ୍କ ମଧ୍ୟରେ ହାତାହାତି ହୋଇଥିବା ଅଭିଯୋଗ ରହିଛି । ଏଥିରେ ଏସ୍ଏସ୍ପି ଅକ୍ଷତ ଗର୍ଗ ଆହତ ହୋଇଥିବା ନେଇ ଇଣ୍ଡିଆ ଟୁଡେ ନର୍ଥଇଷ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ କେଉଁ କାରଣରୁ ଦୁଇ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ଆରମ୍ଭ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣା ସମ୍ପର୍କରେ ପୋଲିସ ମୁଖ୍ୟାଳୟକୁ ସୂଚନା ମିଳିବା ପରେ ଅଧିକାରୀ ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଏଥିରେ ସମ୍ପୃକ୍ତ ଥିବାରୁ ପୋଲିସ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇଛି । ଉଭୟ ଅଧିକାରୀଙ୍କ ମଧ୍ୟରେ ବିବାଦର ସମାଧାନ ଏବଂ ଆପୋସ ବୁଝାମଣା କରାଇବା ପାଇଁ ଡିଜିପି କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଠାଯାଇଥିବା ଜଣାପଡ଼ିଛି । ଉଭୟ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଘଟଣା ପୋଲିସ ବିଭାଗର ଶୃଙ୍ଖଳା ଓ ଅଧିକାରୀଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛି ।
