
ପଞ୍ଜାବ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଏକାଠି ହୋଇଛନ୍ତି ବିଜେପି ଏବଂ ଶିରୋମଣି ଅକାଳୀ ଦଳ । ପ୍ରାୟ ୬ ବର୍ଷ ପରେ ଉଭୟ ଦଳ ମଧ୍ୟରେ ପୁଣି ମେଣ୍ଟ ହୋଇଛି । ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଏହି ମେଣ୍ଟ ଘୋଷଣା କରାଯାଇଛି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ୩ଟି କୃଷି ଆଇନକୁ ବିରୋଧ କରି ୨୦୨୦ରେ ଅକାଳୀ ଦଳ ବିଜେପିର ସାଥ୍ ଛାଡ଼ିଥିଲା ।
ଖବର ମୁତାବକ, ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିଲେ ମଧ୍ୟ ଆସନ ବଣ୍ଟନକୁ ନେଇ ମତଭେଦ ରହିଛି । ବିଜେପି ପ୍ରାୟ ୫୫ଟି ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ବେଳେ ଅକାଳୀ ଦଳ ଏହାକୁ ପ୍ରାୟ ୪୫ଟି ଆସନ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି ।
୧୯୯୬ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଉଭୟ ଦଳ ମେଣ୍ଟରେ ଥିଲେ । ସେହି ସମୟରେ ପଞ୍ଜାବର ମୋଟ ୧୧୭ଟି ବିଧାନସଭା ଆସନ ମଧ୍ୟରୁ ଅକାଳୀ ଦଳ ୯୪ଟି ଏବଂ ବିଜେପି ୨୩ଟି ଆସନରେ ନିର୍ବାଚନ ଲଢ଼ୁଥିଲା । ଉଭୟ ଦଳ ମିଳିତ ଭାବେ ୧୯୯୭, ୨୦୦୭ ଏବଂ ୨୦୧୨ରେ ପଞ୍ଜାବରେ ସରକାର ଗଠନ କରିଥିଲେ ।
୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ବିଜେପି ସହ ଦୀର୍ଘଦିନର ମେଣ୍ଟ ଭାଙ୍ଗିଥିଲା । ଏହାସହ ଅକାଳୀ ଦଳର ନେତା ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏବେ ପ୍ରାୟ ୬ ବର୍ଷ ପରେ ଉଭୟ ଦଳ ପୁଣି ଏକାଠି ହୋଇଛନ୍ତି ।
