ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍ ଦେଶର ଗଣତନ୍ତ୍ର ପ୍ରତି ବଡ଼ ବିପଦ: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍ ଦେଶର ଗଣତନ୍ତ୍ର ପ୍ରତି ଏକ ବଡ଼ ବିପଦ । ଏହା ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି)ଙ୍କ ସ୍ୱାର୍ଥ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାକୁ ଯାଉଥିବାରୁ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ବ୍ଲକ୍ । ଶନିବାର ଏ ସଂକ୍ରାନ୍ତରେ ବ୍ଲକ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
‘ଇଣ୍ଡିଆ’ ବ୍ଲକ୍ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଏହି ବିଲ୍କୁ ବିରୋଧ କରିବା ନେଇ ମେଣ୍ଟର ସମସ୍ତ ନେତା ଏକମତ। କାରଣ ଏହା ଦେଶର ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।
ସମ୍ବିଧାନ ପରିବର୍ତ୍ତନ ପାଇଁ ୪୦୦ରୁ ଅଧିକ ଆସନ ଜିତିବାକୁ ବିଜେପିର ପୂର୍ବ ପ୍ରୟାସ ବିଫଳ ହେବା ପରେ ଏବେ ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରି ଦୀର୍ଘଦିନ ଧରି କ୍ଷମତାରେ ରହିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଏହାଦ୍ୱାରା ସମ୍ବିଧାନକୁ ମଧ୍ୟ ପରିବର୍ତ୍ତନ କରିବାର ଉଦ୍ୟମ ହେବ ବୋଲି ସେ ଅଭିଯୋଗ କରିଛନ୍ତି।
ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ଯୋଗୁଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ମଧ୍ୟ ଖଡ଼ଗେ ଚେତାବନୀ ଦେଇଛନ୍ତି। କାରଣ ସମ୍ବିଧାନରେ ଏସ୍ସି ଓ ଏସ୍ଟିଙ୍କ ପାଇଁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ବିଜେପି ସରକାର ଆଣିବାକୁ ଥିବା ପ୍ରସ୍ତାବିତ ସୀମା ବିଲ୍ରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ।
ଖଡଗେ ଆହୁରି କହିଛନ୍ତି, ୨୦୨୬ ଜନଗଣନା ପ୍ରକ୍ରିୟା ଚାଲିଥିବାବେଳେ ପୁରୁଣା ଜନଗଣନା ଆଧାରରେ ଏହି ସଂଶୋଧନ ବିଲ୍ ଆଣିବାକୁ ପ୍ରସ୍ତାବ ରଖାଯାଉଛି। ଜନସଂଖ୍ୟା ବୃଦ୍ଧି ଅନୁସାରେ ଏସ୍ସି ଓ ଏସ୍ଟି ବର୍ଗ ଯେଉଁ ଲାଭ ପାଇବା କଥା, ସେଥିରୁ ସେମାନଙ୍କୁ ବଞ୍ଚିତ କରିବା ପାଇଁ ବିଜେପି ଜାଣିଶୁଣି ଏପରି କରୁଛି ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ମଧ୍ୟ ‘ଇଣ୍ଡିଆ’ ବ୍ଲକ୍ର ନେତାମାନେ ତୀବ୍ର ବିରୋଧ କରିଛନ୍ତି। ୧୦ କୋଟିରୁ ଅଧିକ ଭୋଟରଙ୍କ ନାମ ତାଲିକାରୁ ହଟାଇଥିବା ଅଭିଯୋଗ ଯାହା ନାଁରେ ଅଛି, ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି ବୋଲି ଖଡ଼ଗେ କହିଛନ୍ତି। ନିର୍ବାଚନ କମିଶନଙ୍କ ମାଧ୍ୟମରେ ଯଦି ‘ଭୋଟ୍ ଚୋରି’ କରାଯାଇପାରୁଛି, ତେବେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ନିରପେକ୍ଷତା ଓ ସ୍ୱଚ୍ଛତା କିପରି ଆଶା କରାଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ବିଜେପିକୁ ସୁହାଇବା ପାଇଁ ନିର୍ବାଚନମଣ୍ଡଳୀଗୁଡ଼ିକର ଜନସଂଖ୍ୟାଗତ ଓ ଭୌଗୋଳିକ ଗଠନରେ ହେରଫେର କରାଯାଇପାରେ ବୋଲି ଖଡ଼ଗେ ଆଶଙ୍କା କରିଛନ୍ତି। ସେ କହିଛନ୍ତି, ସେମାନେ ସଂରକ୍ଷିତ ଆସନକୁ ସାଧାରଣ ଆସନରେ ଏବଂ ସାଧାରଣ ଆସନକୁ ସଂରକ୍ଷିତ ଆସନରେ ପରିଣତ କରିପାରନ୍ତି। କ୍ଷମତା ଦଖଲ ପାଇଁ ଯାହା ଆବଶ୍ୟକ ମନେ କରିବେ, ତାହା କରିବେ। ଆସାମ ଓ ଜମ୍ମୁ-କଶ୍ମୀରରେ ହୋଇଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ଉଦାହରଣ ଦେଇ ସେ ଏକଥା କହିଛନ୍ତି ।
କଂଗ୍ରେସ ସଭାପତି ଆହୁରି ଅଭିଯୋଗ କରିଛନ୍ତି ଯେ, ଚୀନ୍ ଭଳି ଭାରତରେ ମଧ୍ୟ ସମସ୍ତେ ଏକାଠି ହାତ ଉଠାଇ ସମର୍ଥନ ଜଣାଇବା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି। ଚୀନ୍ରେ ଯେପରି ସମସ୍ତେ ଏକାଠି ହାତ ଉଠାଇ ସମର୍ଥନ ଜଣାନ୍ତି, ସେହିଭଳି ସମର୍ଥନ ହାସଲ କରି ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ବିଜେପି ଉଦ୍ୟମ କରୁଛି। ଯଦି ଏହା ସମ୍ଭବ ହୁଏ, ତାହେଲେ ବିଜେପି ଓ ଆର୍ଏସ୍ଏସ୍ ହାତରେ ସବୁଦିନ ପାଇଁ ଶାସନ କ୍ଷମତା ରହିବ ଏବଂ ସେମାନେ ମନୁସ୍ମୃତି ଅନୁସାରେ ଦେଶ ଶାସନ କରିବେ ବୋଲି ଖଡ଼ଗେ ଚେତାବନୀ ଦେଇଥିବା ଏହି ବିବୃତ୍ତିରେ ଉଲ୍ଲେଖ ରହିଛି ।
