
ଝାଡ଼ଖଣ୍ଡ: ଠାକୁର ଦର୍ଶନ ଅଧାରେ ରହିଗଲା । ରାଜରପ୍ପା ଯିବା ବାଟରେ ଆଖି ବୁଜିଲେ ଗୋଟିଏ ଗାଁର ୧୩ ଶ୍ରଦ୍ଧାଳୁ । ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଶ୍ମଶାନ ପାଲଟିଲା ରାଜପଥ । ୪ ଶିଶୁ ଓ ୪ ମହିଳାଙ୍କ ସମେତ ୧୩ ମୃତ । ଭୋରରୁ ଝାଡ଼ଖଣ୍ଡ ରାଜପଥରେ ଲିଭିଗଲା ୧୩ ଜୀବନ ଦୀପ । ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ରାଞ୍ଚି-ପାଟନା ଜାତୀୟ ରାଜପଥ (NH-33)ରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଫଳରେ ୪ ଜଣ ଶିଶୁ, ୪ ଜଣ ମହିଳା ଏବଂ ୫ ଜଣ ପୁରୁଷଙ୍କ ସମେତ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଭୋର ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସ୍କର୍ପିଓରେ ଯାତ୍ରା କରୁଥିବା ସମସ୍ତ ୧୪ ଜଣ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜଙ୍ଘାରୋ ଗ୍ରାମର ବାସିନ୍ଦା ଥିଲେ ।
ସେମାନେ ପୂଜାର୍ଚ୍ଚନା କରିବା ପାଇଁ ରାଜରପ୍ପା ମନ୍ଦିରକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ି ଭିତରୁ ଲୋକଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ । ଏହି ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
