ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା ଜାରି

add-all

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ରୁଷ ସୀମାରେ ଯୁଦ୍ଧାସ୍ତ୍ର ଓ ଯବାନଙ୍କ ସଂଖ୍ୟା ବଢ଼ାଉଥିବାରେ ଲାଗିଛି। ଏଥିସହ ରୁଷ ଏବେ ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ଏହି ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନରେ ହମଲା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଉତ୍ତର ୟୁକ୍ରେନର କିଛି ସହରରେ ବୋମା ବର୍ଷଣ ହେଉଥିବା ଖବର ମିଳିବା ପରେ ସମଗ୍ର ବିଶ୍ୱରେ ଯୁଦ୍ଧର ଭୟ ସୃଷ୍ଟି ହୋଇଛି।
ରୁଷ ସୀମାରେ ସମରସଜ୍ଜା କରୁଥିଲେ ମଧ୍ୟ ଏହା ୟୁକ୍ରେନର କୌଣସି କ୍ଷତି ଘଟାଇବ ନାହିଁ ବୋଲି ଦାବି କରୁଛି। କିନ୍ତୁ ଏକଥାକୁ ଆମେରିକା କିମ୍ବା ନାଟୋ ସଦସ୍ୟମାନେ ମାନିବାକୁ ରାଜି ହେଉନାହାନ୍ତି। ରୁଷ ସୈନ୍ୟ ପ୍ରତ୍ୟାହାର କରିବା ବଦଳରେ ଅଧିକ ସଂଖ୍ୟକ ଯୁଦ୍ଧାସ୍ତ୍ର ଓ କ୍ରୁଜ ମିଜାଇଲ ୟୁକ୍ରେନ ସୀମାକୁ ଆଣୁଥିବା ଆମେରିକା ଦାବି କରିଛି।
ଏସବୁ ଭିତରେ ନୂଆ ସ୍ୟାଟେଲାଇଟ ଛବି ସାମ୍ନାକୁ ଆସିଛି। ଯେଉଁଥିରେ ରୁଷର ଅସଲ ଚେହେରା ଧରାପଡ଼ିଛି। ୟୁକ୍ରେନ ସୀମାନ୍ତରେ ରୁଷ ଏୟାରଫିଲ୍ଡ ନିର୍ମାଣ କରିବା ସହ ସେଠାରେ ବିପୁଳ ସଂଖ୍ୟାରେ ଯବାନ ଓ ଯୁଦ୍ଧାସ୍ତ୍ର ଖଞ୍ଜିଥିବା ସ୍ୟାଟେଲାଇଟ ଛବିରୁ ଜଣାପଡ଼ିଛି।
ଆମେରିକୀୟ ସ୍ପେସ୍ ଟେକ୍ନୋଲୋଜି କମ୍ପାନୀ ମ୍ୟାକ୍ସର୍ ଟେକ୍ନୋଲୋଜି ଦ୍ୱାରା ପ୍ରକାଶିତ ସ୍ୟାଟେଲାଇଟ୍ ଚିତ୍ରରେ ୟୁକ୍ରେନ ସୀମାରେ ଥିବା ରୁଷର ଏୟାରଫିଲ୍ଡରେ ବହୁ ସଂଖ୍ୟକ ଯୁଦ୍ଧ ବିମାନ ମୁତୟନ ହୋଇଥିବା ଦେଖାଯାଉଛି। ବେଲାରୁଷର ଲିଡା ଏୟାରଫିଲ୍ଡରେ ବି ଏୟାର ଆଟାକ୍ ହେଲିକପ୍ଟର ରଖାଯାଇଛି।
ୟୁକ୍ରେନ ସୀମାରେ ରୁଷ ଏବେ ନିଜର କିଛି ଯୁଦ୍ଧାସ୍ତ୍ରକୁ ଟେକ୍ନିକାଲ ପୋଜିସନକୁ ସ୍ଥାନାନ୍ତରଣ କରିଛି। ଖାଲି ଏତିକି ନୁହେଁ, ଅନ୍ୟ ଯୁଦ୍ଧାସ୍ତ୍ର, ଟ୍ୟାଙ୍କ ଓ ମିଜାଇଲ ଗୁଡ଼ିକୁ ମଧ୍ୟ ରୁଷ ସୀମାରେ ପ୍ରସ୍ତୁତ କରି ରଖିଥିବା ସ୍ୟାଟେଲାଇଟ୍ ଛବିରୁ ସାମ୍ନାକୁ ଆସିଛି। ମ୍ୟାକ୍ସର ଦ୍ୱାରା ଜାରି ନୂଆ ସ୍ୟାଟେଲାଇଟ ଛବି ଗୁଡ଼ିକରେ ବେଲାରୁଷ, କ୍ରୋମିୟା ଓ ପଶ୍ଚିମ ରୁଷର ସୀମାନ୍ତ ଅଞ୍ଚଳରେ ମସ୍କୋ କରୁଥିବା କାର୍ଯ୍ୟକଳାପର ଦୃଶ୍ୟ ରହିଛି। ଏହି ଛବି ଆସିବା ପରେ ୟୁକ୍ରେନ ଉପରେ ଆକ୍ରମଣର ଭୟ ଆହୁରି ବଢ଼ି ଯାଇଛି।
ଅନ୍ୟପକ୍ଷରେ ପୂର୍ବଭଳି ରୁଷ ଏବେ ବି ୟୁକ୍ରେନ ଉପରେ ହମଲା କରିବାକୁ କୌଣସି ଯୋଜନା ହୋଇ ନଥିବା କହିଛନ୍ତି। କିନ୍ତୁ ୟୁକ୍ରେନ ନାଟୋରେ ଯୋଗଦେବ ନାହିଁ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ପୂର୍ବ ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ରୁଷ ଦାବି କରିଛି। ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷର ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି।

ad-week
Leave A Reply

Your email address will not be published.