ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବନ୍ଦ କଲା ରୁଷ

add-all

ମସ୍କୋ: ଦୀର୍ଘ ୧୦ ଦିନ ହେଲା ୟୁକ୍ରେନରେ ଆକ୍ରମଣ କରି ଚାଲିଥିବା ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। ଆଜି ହଠାତ୍‌ ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି।
ଘନଘନ ବୋମା ବର୍ଷଣ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରୁଷ ସରକାର ମାରିୟୁପୋଲ ଓ ଭୋଲନଭାକା ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଲାଗୁ କରିଥିବା ଜଣାପଡ଼ିଛି। ମସ୍କୋ ସମୟ ସକାଳ ୧୦ଟାରୁ ଏଠାରେ ରୁଷ ସୈନ୍ୟ କୌଣସି ପ୍ରକାରର ଗୁଳି ମାଡ଼ କରିବେ ନାହିଁ। ସେହିପରି ମାନବୀୟ କରିଡର ଦ୍ୱାରା ଏଠାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ମିଳିବ ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅସ୍ତ୍ର ବିରତି ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ପାଇବେ। ବିଶେଷ କରି ମହିଳା, ଛୋଟ ପିଲା ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ କୁହାଯାଇଛି। ଯୁଦ୍ଧ ବିରତି ଶେଷ ହେବା ପରେ ରୁଷ ପୁଣିଥରେ ତା’ର ଉଗ୍ର ରୂପ ଦେଖାଇବ।
ମାରିୟୁପୋଲରେ ରୁଷ ଘନଘନ ଆକ୍ରମଣ କରୁଥିଲା। ଏହାର କିଛି ଅଂଶକୁ ମସ୍କୋ ଦଖଲ ମଧ୍ୟ କରି ନେଇଛି। ଏହାପରେ ସହରକୁ ବିଜୁଳି, ପାଣି ଓ ପରିବହନ ବ୍ୟବସ୍ଥା ବନ୍ଦ କରି ଦିଆଯାଇଥିଲା। ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମାରିୟୁପୋଲର ମେୟର ତୁରନ୍ତ ଯୁଦ୍ଧ ବିରତି ଲାଗୁ କରିବା ସହ ମାନବୀୟ କରିଡର ଦ୍ୱାରା ମେଡିସିନ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିବେଦନ କରିଥିଲେ।
ରୁଷ ସେନା ୧୦ ଦିନ ହେଲା ହମଲା କରୁଥିଲେ ମଧ୍ୟ ୟୁକ୍ରେନର ରାଜଧାନୀ କିଭ କିମ୍ବା ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭକୁ ଦଖଲ କରିପାରି ନାହାନ୍ତି। ତେଣୁ ଏଥର ପୁଟିନ ସେନା ଅଲଆଉଟ ଆଟାକ ମୁଡରେ ରହିଛି। ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ବଡ଼ ହମଲା ପୂର୍ବରୁ ଲୋକଙ୍କୁ ଅନ୍ୟତ୍ର ଚାଲି ଯିବାକୁ ରୁଷ ଶେଷ ସୁଯୋଗ ଦେଇଥିବା କୁହାଯାଉଛି। ଏହାର ଅର୍ଥ ଏଥର ବଡ଼ବଡ଼ ହମଲା ଦେଖିବାକୁ ମିଳିବ।

ad-week
Leave A Reply

Your email address will not be published.